Jai Odisha
News

ଲାଲକିଲା ବିସ୍ଫୋରଣ ଘଟଣା: ୩ ଡାକ୍ତରଙ୍କ ସମେତ ଆଉ ୪ ଗିରଫ –

ନୂଆଦିଲ୍ଲୀ: ନଭେମ୍ବର ୧୦ ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଗୁରୁବାର ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜାମ୍ମୁ-କାଶ୍ମୀର ପୁଲୱାମାର ଡାକ୍ତର ମୁଜାମିଲ ସକିଲ ଜାନି, ଜାମ୍ମୁ-କାଶ୍ମୀର ଅନନ୍ତନାଗର ଡାକ୍ତର ଆଦିଲ ରାଠେର, ଉତ୍ତରପ୍ରଦେଶ ଲକ୍ଷ୍ନୌର ମହିଳା ଡାକ୍ତର ସାହିନ ସହିଦ ଓ ଜାମ୍ମୁ-କାଶ୍ମୀର ସୋପିଆନର ମୁଫତି ଇରଫାନ ଅହମ୍ମଦ ୱାଗେ। ଏହି ୪ଜଣଙ୍କୁ ପୂର୍ବରୁ ଜାମ୍ମୁ-କାଶ୍ମୀର ପୁଲିସ ଗିରଫ କରି ନିଜ ହେପାଜତରେ ରଖିଥିଲା। ଏବେ ଏନଆଇଏ ସେମାନଙ୍କୁ ଗିରଫ ପୂର୍ବକ ଅଦାଲତଙ୍କ ଅନୁମତିକ୍ରମେ ୧୦ଦିନ ପାଇଁ ନିଜ ହେପାଜତକୁ ନେଇଛି। ଏହି ଚାରି ଜଣ ଯାକ ଦିଲ୍ଲୀ ବିସ୍ଫୋରଣକାରୀ ଡାକ୍ତର ଉମର ନବିର ଯୋଗାଯୋଗରେ ଥିଲେ। ସମସ୍ତେ ମିଳିତ ଭାବେ ଦେଶରେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରିଥିଲେ। ଏପରିକି ଦିଲ୍ଲୀ ବିସ୍ଫୋରଣର ଷଡଯନ୍ତ୍ରରେ ମଧ୍ୟ ଏମାନେ ସାମିଲ ଥିଲେ।

ଏହି ୪ଜଣଙ୍କ ଗିରଫକୁ ମିଶାଇ ଦିଲ୍ଲୀ ବିସ୍ଫୋରଣ ଷଡଯନ୍ତ୍ର ଘଟଣାରେ ଏନଆଇଏ ଦ୍ବାରା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏହା ପୂର୍ବରୁ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହାର ହୋଇଥିବା ହୁଣ୍ଡାଇ ଆଇ୨୦ କାର୍‌ର ମାଲିକ ଅମିର ରସିଦ ଅଲି ଓ ବିସ୍ଫୋରଣ ପାଇଁ ବୈଷୟିକ ସହାୟତା ଦେଇଥିବା ଜସିର ବିଲାଲ ୱାନି ଓରଫ ଡାନିସକୁ ଏନଆଇଏ ଗିରଫ କରିଥିଲା। ଗୁରୁବାର ଗିରଫ ହୋଇଥିବା ୩ ଡାକ୍ତରଙ୍କ ମଧ୍ୟରୁ ମୁଜାମିଲ ଓ ସାହିନ ଅଲ୍‌ ଫଲାହ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ଆତ୍ମଘାତୀ ବିସ୍ଫୋରଣକାରୀ ଉମର ମଧ୍ୟ ଏମାନଙ୍କ ସହିତ ସରକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲା। ଆଦିଲ ଜାମ୍ମୁ-କାଶ୍ମୀର ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ୨୦୨୪ ଅକ୍ଟୋବରରୁ ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରିଆସୁଥିଲା। ଟେରର ମଡ୍ୟୁଲରେ ସାମିଲ ହେବା ପରେ ସେ ଉତ୍ତରପ୍ରଦେଶ ଚାଲିଆସିଥିଲା। ଉତ୍ତରପ୍ରଦେଶର ସାହରଣପୁରରେ ସେ ଅବସ୍ଥାନ କରୁଥିଲା। ଜୈସ-ଇ-ମହମ୍ମଦର ପୋଷ୍ଟରରେ ଆଦିଲର ଫଟୋ ପ୍ରକାଶ ପାଇବା ପରେ ପୁଲିସ ତାକୁ ପ୍ରଥମେ ଗିରଫ କରିଥିଲା। ତା’ର ସୂଚନା ଆଧାରରେ ଅନ୍ୟ ଦୁଇ ଡାକ୍ତରଙ୍କୁ ଗିରଫ କରାଯାଇଥିଲା।

– Advertisement –

ମୁଜାମିଲକୁ ହରିୟାଣାର ଫରିଦାବାଦରୁ ଗିରଫ କରାଯିବା ପରେ ତା’ ନିକଟରୁ ୨୯୦୦ କିଲୋ ବିସ୍ଫୋରକ ଜବତ କରାଯାଇଥିଲା। ଇରଫାନ ଶ୍ରୀନଗର ସରକାରୀ ମେଡିକାଲ କ‌େଲଜରେ ପାରାମେଡିକାଲ କର୍ମଚାରୀ ଭାବେ କାର୍ଯ୍ୟକରି ଅବସର ନେଇଛି। ଅବସର ପରେ ସେ ଶ୍ରୀନଗରର ଏକ ମସ୍‌ଜିଦ ମୌଲବୀ କାର୍ଯ୍ୟ କରୁଥିଲା। ଡାକ୍ତରମାନଙ୍କୁ ମୌଳବାଦୀ କରାଇବାରେ ଇରଫାନର ବଡ ଭୂମିକା ରହିଛି। ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତକୁ ବ୍ୟାପକ କରିବା ପୂର୍ବକ ଏନଆଇଏ ଏହାକୁ ସାଉଦି ଆରବ, ମାଳଦ୍ବୀପ ଓ ତୁର୍କୀକୁ ସମ୍ପ୍ରସାରିତ କରିଛି। ଏହା ସହିତ ଦିଲ୍ଲୀ, ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ ଓ ହରିୟାଣାରେ ଏହାର ତଦନ୍ତ ଚଳାଇଛି। ନଭେମ୍ବର ୧୦ ବିସ୍ଫୋରଣରେ ୧୫ଜଣଙ୍କର ମୃତ୍ୟୁ ହେବା ସହ ୩୫ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.