ଆଜିଠାରୁ ଦ୍ବିତୀୟ ଟେଷ୍ଟ: ବ୍ୟାଟିଂରେ ଭଲ ପ୍ରଦର୍ଶନ ପାଇଁ ତାଗିଦ –
ଗୁଆହାଟୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ଶନିବାରଠାରୁ ଗୁଆହାଟୀର ବର୍ଷାପଡ଼ା ଷ୍ଟାଡ଼ିୟମରେ ଖେଳାଯିବ। ଉକ୍ତ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଆୟୋଜିତ ହେଉଥିବାବେଳେ ପିଚ୍କୁ ନେଇ ଉଭୟ ଦଳ ସଂଶୟରେ ରହିଛନ୍ତି। ତାମ୍ବେ ବଭୁମାଙ୍କ ନେତୃତ୍ବାଧିନ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଜିତି ଶୃଙ୍ଖଳା ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଭାରତ ମ୍ୟାଚକୁ ଜିତି ଶୃଙ୍ଖଳା ବରାବର ଲକ୍ଷ୍ୟ ନେଇ ଖେଳିବ।
କଲକାତାର ଇଡେନଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୩୦ରନରେ ଜିତି ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଉକ୍ତ ମ୍ୟାଚରେ ଦୁଇ ଦଳ ଉଭୟ ଇନିଂସରେ ସ୍କୋରକୁ ୨୦୦ରନ ଛୁଇଁପାରିନଥିଲେ। ବଭୁମାଙ୍କ ଅପରାଜିତ ୫୫ରନ ଶ୍ରେଷ୍ଠ ଇନିଂସ ରହିଥିଲା। ଇଡେନଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ସ୍ପିନ ଜାଲରେ ଭାରତୀୟ ବ୍ୟାଟ୍ସମ୍ୟାନ ଘାଇଲା ହୋଇଥିଲେ। ଗୁଆହାଟୀରେ ଉକ୍ତ ସଫଳତାକୁ ଦୋହରାଇବା ନେଇ ଦକ୍ଷିଣ ଆଫ୍ରିକା ଆଶା ରଖିଛି। ଦକ୍ଷିଣ ଆଫ୍ରିକାର ଅଫ ସ୍ପିନର ସାଇମନ ହାର୍ମର ପ୍ରଥମ ଟେଷ୍ଟରେ ୮ଟି ୱିକେଟ ନେଇଥିଲେ। ଏହାଛଡା ମାର୍କୋ ୟାନସେନ,କେଶବ ମହାରାଜ, ୱିୟାନ ମୁଲଡର ଓ କୋରବିନ ବସ୍ ମଧ୍ୟ ୱିକେଟ ନେଉଛନ୍ତି। ଦ୍ରୁତ ବୋଲର କାଗିସୋ ରବାଡା ଆହତ ଥିବାରୁ ସେ ଦ୍ବିତୀୟ ଟେଷ୍ଟରେ ଖେଳିବେ ନାହିଁ। ବ୍ୟାଟିଂରେ ଐଡେନ ମାର୍କରାମ, ରିୟାନ ରିକେଲଟନ, ତାମ୍ବେ ବଭୁମା, ଟୋନି ଡି ଜର୍ଜି, ତ୍ରିଷ୍ଟାନ ଷ୍ଟବ୍ସ ଓ କାଏଲ ଭେରେନେ ରହିଛନ୍ତି। ଦଳ କଲକାତା ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ଓ ଦ୍ବିତୀୟ ଇନିଂସରେ ୧୫୩ରନ କରିଥିଲା।
– Advertisement –
ଗୁଆହାଟୀେର ବ୍ୟାଟିଂ ତ୍ରୁଟିକୁ ସୁଧାରିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଶୁଭମନ ଗିଲ୍ଙ୍କ ଅନୁପସ୍ଥିତିରେ ଋଷଭ ପନ୍ତଙ୍କ ନେତୃତ୍ବରେ ଭାରତ ଦ୍ବିତୀୟ ଟେଷ୍ଟ ଖେଳିବାକୁ ଯାଉଛି। ପନ୍ତଙ୍କ ପାଇଁ ଉକ୍ତ ଟେଷ୍ଟ ଅତ୍ୟାନ୍ତ ଗୁରୁତ୍ବପୂର୍ଣ୍ଣ। ଇଡେନ ଗାର୍ଡେନ୍ସ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତ ପାଇଁ ଗୁଆହାଟୀ ଟେଷ୍ଟ ବଡ଼ ଆହ୍ବାନ ହୋଇଛି। ଦଳ ପାଇଁ ବ୍ୟାଟିଂ ଚିନ୍ତାଜନକ ହୋଇଛି। ଦଳ ଇଡେନ ଗାର୍ଡେନ୍ସରେ ପ୍ରଥମ ଇନିଂସରେ ୧୮୯ରନ ଓ ଦ୍ବିତୀୟ ଇନିଂସରେ ୯୩ରନ କରିବାକୁ ସକ୍ଷମ ହୋଇଥିଲା। ବ୍ୟାଟିଂରେ ଯଶସ୍ବୀ ଜୟସୱାଲ ପ୍ରଥମ ଇନିଂସରେ ୧୨ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ଖାତା ଖୋଲି ପାରିନଥିଲେ। ଅନ୍ୟତମ ଓପନର ଲୋକେଶ ରାହୁଲ ୩୯ ଓ ୧ରନ କରିଥିଲେ। ଦୁଇ ଓପନର ୫୨ରନ କରିବା ଦଳର ବ୍ୟାଟିଂ ବିଭାଗକୁ ଦୁର୍ବଳ କରି ଦେଇଥିଲା। ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ୱାଶିଂଟନ ସୁନ୍ଦର ୨୯ ଓ ୩୧ରନ କରିଥିଲେ। ଧ୍ରୁବ ଜୁରେଲ ଓ ଋଷଭ ପନ୍ତ ମଧ୍ୟ ଆଶାନୁଯାୟୀ ପ୍ରଦର୍ଶନ କରିପାରିନଥିଲେ। ପନ୍ତ ଉଭୟ ଇନିଂସରୁ ୨୭ ଓ ୨ରନ , ଜୁରେଲ ୧୪ ଓ ୧୩ରନ କରିଥିଲେ।
ମ୍ୟାଚ ଜିତିବାକୁ ହେଲେ ବ୍ୟାଟିଂରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଭାରତ ଗୁଆହାଟୀରେ ୭ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇ ଖେଳିପାରେ। ବ୍ୟାଟିଂ କ୍ରମରେ ଯଶସ୍ବୀ ଜୟସୱାଲ, ଲୋକେଶ ରାହୁଲ ଖେଳିବାବେଳେ ଶୁଭମନ ଗିଲଙ୍କ ସ୍ଥାନର ସାଇ ସୁଦର୍ଶନ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଧ୍ରୁବ ଜୁରେଲ ୪ର୍ଥ, ରିଷଭ ପନ୍ତ ୫ ନମ୍ବର ସ୍ଥାନେର ଖେଳିବାର ସମ୍ଭାବନା ରହିଛି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡିଙ୍କୁ ଅକ୍ଷର ପଟେଲଙ୍କ ସ୍ଥାନରେ ସୁଯୋଗ ମିଳିପାରେ। ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବେ ଖେଳିବେ। ଦ୍ରୁତ ବୋଲିଂରେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ଦାୟିତ୍ବ ତୁଲାଇବେ। ଦଳ ୩ଜଣ ସ୍ପିନର କୁଳଦୀପ ଯାଦବଙ୍କ ସହ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇବାର ଆଶା କରାଯାଉଛି।