ପ୍ରକୃତିର ତାଣ୍ଡବ ; ହିମାଚଳପ୍ରଦେଶରେ ଏଯାଏଁ ୧୯୯ ମୃତ, ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି –

ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ଚଳିତ ବର୍ଷ ୨୦ ଜୁନ୍ରୁ ୬ ଅଗଷ୍ଟ ମଧ୍ୟରେ ମୌସୁମୀ କାରଣରୁ ପ୍ରବଳ ବର୍ଷା ଫଳରେ ଏଯାଏଁ ପ୍ରାୟ ୧୯୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି । ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ପ୍ରାଧିକରଣ ଏହୋର ସଦ୍ୟ ରିପୋର୍ଟ ଜାରି କରିଛି ।
ରିପୋର୍ଟ ଅନୁସାରେ ବର୍ଷା ସହ ଜଡିତ ଘଟଣା ଯେପରି ଭୂସ୍ଖଳନ, ବାଦଲଫଟା ବର୍ଷା, ବିଦ୍ୟୁତ୍ ଆଘାତରେ ୧୦୮ ଜଣଙ୍କ ମୃତ୍ୟୁ ହୋଇଛି । ୯୧ ଜଣଙ୍କ ମୃତ୍ୟୁ ରାସ୍ତାରେ ଅଘଟଣ କାରଣରୁ ହୋଇଛି । ଏହା ବ୍ୟତୀତ ୩୦୪ ଜଣ ଆହତ ହେବା ସହ ୩୬ ଜଣ ଏବେ ବି ନିଖୋଜ ରହିଛନ୍ତି ।
ପ୍ରଦେଶର ଅନେକ ସ୍ଥାନରେ କ୍ଷୟକ୍ଷତି ଘଟିଛି । ପରିଚାଳନା ସଞ୍ଚାଳନ କେନ୍ଦ୍ରର ୬ ଅଗଷ୍ଟର ରିପୋର୍ଟ ଅନୁସାରେ ସାରା ରାଜ୍ୟରେ ୫୩୩ ରାସ୍ତା ଏବେ ମଧ୍ୟ ବନ୍ଦ ରହିଛି । ଯେଉଁଥିରେ ପ୍ରମୁଖ ଜାତୀୟ ରାଜପଥ ୩, ୫, ୨୧ ଓ ୩୦୫ ସାମିଲ ରହିଛି । ଏହା ବ୍ୟତୀତ ୬୩୫ ପାୱାର ଟ୍ରାନ୍ସଫର ଠପ୍ ହୋଇ ଯାଇଛି । ୨୬୬ ପାନୀୟ ଜଳ ଯୋଜନାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଫଳରେ ସର୍ବସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସେହିପରି ମଣ୍ଡୀ, କୁଲ୍ଲୁ ଓ କାଙ୍ଗଡା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମଣ୍ଡୀରେ ବର୍ଷା ପରେ ପ୍ରାୟ ୨୩ ଜଣଙ୍କ ଜୀବନ ଚାଲି ଯାଇଛି ।
ଭାରତୀୟ ପାଣିପାଗ ବିଭାଗ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଅଧିକରୁ ଅଧିକ ବର୍ଷା ପାଇଁ ଚେତାବନୀ ଜାରି କରିଛି । ପ୍ରଶାସନକୁ ଏଥିପାଇଁ ହାଇ ଆଲର୍ଟରେ ରହିବାକୁ କୁହାଯାଉଛି ।
ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ପ୍ରାଧିକରଣ କହିବାନୁସାରେ, ଏଯାଏଁ ସର୍ବସାଧାରଣ, ଘରୋଇ ସମ୍ପତ୍ତିର ପ୍ରାୟ ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏଥିରେ ରାସ୍ତା, ଘର, କୃଷି, ବଗିଚା, ବିଦ୍ୟୁତ୍ ଆଦି ସାମିଲ ରହିଛି ।
ବିପଦ ପୂର୍ଣ୍ଣ ସ୍ଥାନ ଅଞ୍ଚଳକୁ ଯାତ୍ରା ନକରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ଏହାସହ ପାଣିପାଗ ସହ ଜଡିତ ଖବର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଲଗାତାର ବର୍ଷା ଓ ପ୍ରକୃତିର ତାଣ୍ଡବ ମଧ୍ୟରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ହିମାଚଳ ପ୍ରଦେଶ ପୁଣି ଥରେ ପ୍ରକୃତିର ରୌଦ୍ର ରୂପର ସାମ୍ନା କରିଛି ।
ଦେଖନ୍ତୁ ଭିଡିଓ; ଡେଲିଭରି ବଏକୁ ଚାପୁଡା ପରେ ଚାପୁଡା ମାରିଲେ, ଜାଣନ୍ତୁ କାରଣ..
ଦେଖନ୍ତୁ ଭିଡିଓ .. ମାନବିକତା ଦେଖାଇଲେ ଟ୍ରାଫିକ୍ ପୁଲିସ; ମୃତ୍ୟୁ ମୁହଁରୁ ରକ୍ଷା କଲେ କାର୍ ଚାଳକଙ୍କ ଜୀବନ..