Jai Odisha
News

୨୦୩୦ ସୁଦ୍ଧା ଚନ୍ଦ୍ରରେ ପରମାଣୁ କେନ୍ଦ୍ର

ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟର ନିର୍ମାଣ ଯୋଜନାକୁ ଦ୍ରୁତ ବେଗରେ କାର୍ଯ୍ୟକାରୀ କରିବ ବୋଲି ଜଣାଯାଇଛି। ଚନ୍ଦ୍ରପୃଷ୍ଠରେ ମାନବ ବସତି ନିର୍ମାଣ ପାଇଁ ଏକ ସ୍ଥାୟୀ ଆଧାର ସ୍ଥାପନ ପାଇଁ ଏହା ଆମେରିକାର ବ୍ୟାପକ ମହତ୍ବାକାଂକ୍ଷାର ଏକ ଅଂଶ। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତ ‘ନାସା’ର ଅସ୍ଥାୟୀ ମୁଖ୍ୟ ସିଆନ୍ ଡଫି ସଂପୃକ୍ତ ରିଆକ୍ଟର ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବାର ଯୋଜନା ବାବଦରେ ‘ନାସା’କୁ ଏକ ନିର୍ଦ୍ଦେଶ ପଠାଇବା ପରେ ଏହା ସ୍ପଷ୍ଟ ହୋଇଛି। 

ଚନ୍ଦ୍ରରେ ଅନ୍ୟୂନ ୧୦୦ କିଲୋୱାଟ୍ ଶକ୍ତି ଉତ୍ପାଦନକ୍ଷମ ଏକ ରିଆକ୍ଟର ନିର୍ମାଣ ପାଇଁ ବାଣିଜ୍ୟିକ କମ୍ପାନିଗୁଡ଼ିକଠାରୁ ପ୍ରସ୍ତାବ ଆହ୍ବାନ କରିବାକୁ ଡଫି ‘ନାସା’କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମେ’ ମାସରେ ଚୀନ୍ ଓ ରୁଷିଆ ମଧ୍ୟ ଚନ୍ଦ୍ରରେ ଅନୁରୂପ ପରମାଣୁ କେନ୍ଦ୍ର ସ୍ଥାପନ କରିବା ସଂକ୍ରାନ୍ତରେ ଘୋଷଣା କରିବା ପରେ ଆମେରିକା ତା’ର ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି। ଭବିଷ୍ୟତରେ ଚନ୍ଦ୍ରର ଅର୍ଥନୀତି ପରିଚାଳନା, ମଙ୍ଗଳ ଗ୍ରହରେ ଶକ୍ତି ଉତ୍ପାଦନ ଏବଂ ମହାକାଶରେ ଆମେରିକାର ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ସଠିକ୍ ଭାବରେ ଆଗକୁ ବଢ଼ାଇବା ପାଇଁ ‘ନାସା’ ଶୀଘ୍ର ପଦକ୍ଷେପ ନେବା ଜରୁରି ବୋଲି ଡଫି କହିଛନ୍ତି। 

ଚୀନ୍ ଓ ରୁଷିଆ ଚନ୍ଦ୍ରରେ ୨୦୩୫ ସୁଦ୍ଧା ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରିବା ନେଇ ନିକଟରେ ଘୋଷଣା କରିବା ପରେ ଆମେରିକାର ‘ନାସା’  ସେମାନଙ୍କ ପୂର୍ବରୁ ସେଠାରେ ପରମାଣୁ କେନ୍ଦ୍ର ସ୍ଥାପନ କରିବା ଦୌଡ଼ରେ ସକ୍ରିୟ ହୋଇଉଠିଛି

ଉଲ୍ଲେଖଯୋଗ୍ୟ, ଭାରତ ଓ ଜାପାନ ସମେତ ଅନେକ ରାଷ୍ଟ୍ର ଚନ୍ଦ୍ର ପୃଷ୍ଠରେ ସ୍ଥାୟୀ ମାନବ ବସତି ସ୍ଥାପନ ଯୋଜନା ପାଇଁ ଚନ୍ଦ୍ର ପୃଷ୍ଠରେ ଅନୁସନ୍ଧାନ ଜାରି ରଖିଛନ୍ତି। ତେବେ ଚୀନ ଓ ରୁଷିଆ ୨୦୩୫ ସୁଦ୍ଧା ଚନ୍ଦ୍ରରେ ସ୍ୱୟଂଚାଳିତ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ‘ନାସା’ ପ୍ରଥମ ଥର ପାଇଁ ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟରକୁ ଶକ୍ତି ଉତ୍ସ ଭାବରେ ବ୍ୟବହାର କରିବାର ଯୋଜନା କରିଛି। ପୂର୍ବରୁ ୨୦୨୨ ମସିହାରେ ଉକ୍ତ ସଂସ୍ଥା ଚନ୍ଦ୍ର ପୃଷ୍ଠରେ ଏକ ପରମାଣୁ ରିଆକ୍ଟର ଡିଜାଇନ୍ କରିବା ପାଇଁ ବିଭିନ୍ନ କମ୍ପାନି ସହ ୫ ନିୟୁତ ଡଲାରର ତିନିଟି ଚୁକ୍ତି କରିଥିଲା। ତେବେ ଚୀନ୍ ଓ ରୁଷର ଘୋଷଣା ପରେ ‘ନାସା’ର ଅଭିପ୍ରାୟ ତ୍ବରାନ୍ବିତ ହେବା ପଛରେ ‘ଆର୍ଟେମିସ୍ ରାଜିନାମା’ର ଭୂମିକା ରହିଛି, ଯାହା ହେଉଛି ଚନ୍ଦ୍ର, ମଙ୍ଗଳ, ଧୂମକେତୁ ଓ ଗ୍ରହାଣୁପୁଞ୍ଜ ଉପରେ ଗବେଷଣା ନେଇ ଶାନ୍ତିପୂର୍ଣ୍ଣ ସହଯୋଗର ଏକ ନୀତି। ଏ ପର୍ଯ୍ୟନ୍ତ ଭାରତ ସମେତ ୫୬ଟି ଦେଶ ଏହି ରାଜିନାମା ସ୍ବାକ୍ଷର କରିସାରିଛନ୍ତି।

Leave A Reply

Your email address will not be published.