Jai Odisha
News

ଏକ ଦାୟିତ୍ବସମ୍ପନ୍ନ ରାଜସ୍ବ ପ୍ରଶାସନ ପ୍ରତିବଦ୍ଧତା ଉପରେ ନବନିଯୁକ୍ତ ରାଜସ୍ବ ସଚିବଙ୍କ ଗୁରୁତ୍ବ –

ଭୁବନେଶ୍ୱର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅରବିନ୍ଦ କୁମାର ପାଢ଼ୀ ଦାୟିତ୍ବ ଗ୍ରହଣ କରିବା ପରେ ବିଭାଗର ରାଜ୍ୟ ମୁଖ୍ୟାଳୟ, ଜିଲ୍ଲା ଏବଂ ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ଯରେ ଏକ ପତ୍ର ପ୍ରେରଣ କରିଛନ୍ତି l ଏଥିରେ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ସହ ଏହାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ସେ ଗୁରୁତ୍ୱାରୋପ କରିଛନ୍ତି l ସଚ୍ଚୋଟତା (Integrity), ବୃତ୍ତିଗତ ନିଷ୍ଠା (Professionalism) ତଥା ସମ୍ବେଦନଶୀଳତା (Sensitivity)କୁ ପ୍ରାଥମିକତା ଦେବା ସହ ତ୍ଵରିତ ପ୍ରୟାସ ମାଧ୍ୟମରେ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ବିଶ୍ବାସବୃଦ୍ଧି କରିବା ନିମନ୍ତେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି l

ଏଥି ସହିତ ନାଗରିକଙ୍କ ଅଭିଯୋଗର ତ୍ଵରିତ ସମାଧାନ, ଉତ୍ତମ ଶାସନ ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଲୋକସେବାରେ ଶିଷ୍ଟାଚାର ଓ ଶୃଙ୍ଖଳାର ପାଳନ, ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଉପରେ ଶ୍ରୀ ପାଢ଼ୀ ଗୁରୁତ୍ଵ ଦେଇଛନ୍ତି l ଏହା ସହ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ କଳା ପ୍ରତି ସମ୍ମାନ ଜଣାଇ ସପ୍ତାହର ଗୋଟିଏ ଦିନ (ଶୁକ୍ରବାର) ହସ୍ତତନ୍ତ ପୋଷାକ ପିନ୍ଧିବା ନିମନ୍ତେ ସେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିଛନ୍ତି l ସଚ୍ଚୋଟ ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ସମ୍ମାନ ଓ ପୁରସ୍କାର ଦିଆଯିବା ସହ ଦୁର୍ନୀତି ଏବଂ ଏହାର ପୃଷ୍ଠପୋଷକ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି l ବିଭିନ୍ନ ସମୟରେ କ୍ଷେତ୍ର ପରିଦର୍ଶନ କରି ଅଚାନକ୍ ଯାଞ୍ଚ କରିବା ସହ ବିଭାଗୀୟ ଅଧିକାରୀ ଏବଂ ସାଧାରଣ ଜନତାଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତିର ମୂଲ୍ୟାଙ୍କନ କରିବା ନିମନ୍ତେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ପାଢୀ ତତ୍ପରତା ପ୍ରକାଶ କରିଛନ୍ତି l

Leave A Reply

Your email address will not be published.