ପଶ୍ଚିମବଙ୍ଗ ସରକାରଙ୍କ ସମୀକ୍ଷା ଆବେଦନ ରଦ୍ଦ –

ନୂଆଦିଲ୍ଲୀ : ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି। ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ପ୍ରସଙ୍ଗରେ ଦାୟର ଏକାଧିକ ସମୀକ୍ଷା ଆବେଦନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ପଶ୍ଚିମବଙ୍ଗ ସ୍କୁଲ ସେବା କମିସନ (ଡବ୍ଲ୍ୟୁବିଏସ୍ଏସ୍ସି) ଦ୍ବାରା ୨୦୧୬ରେ ନିଯୁକ୍ତି ଦିଆଯାଇଥିବା ପ୍ରାୟ ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଗତ ଏପ୍ରିଲ ୩ରେ ରଦ୍ଦ କରିଦେଇଥିଲେ। ଏହିସବୁ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପଛରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଜଣାପଡିବା ପରେ ପ୍ରଥମେ କଲକାତା ହାଇକୋର୍ଟ ଏହି ନିଯୁକ୍ତିକୁ ରଦ୍ଦ କରିଥିଲେ। ହାଇକୋର୍ଟ ରାୟକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ମାତ୍ର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଏହି ରାୟ ଦ୍ବାରା ଚାକିରି ହରାଇଥିବା କର୍ମଚାରୀମାନଙ୍କ ଠାରୁ କୌଣସି ଦରମା ଓ ଭତ୍ତା ବାବଦ ଅର୍ଥ ଫେରସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଗତ ଏପ୍ରିଲ ୪ରେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଶାସକ ତୃଣମୂଳ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ ବାଦବିବାଦ ସୃଷ୍ଟି ହୋଇଥିଲା।
ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..