Jai Odisha
News

ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏରୁ ସି.ପି ରାଧାକ୍ରିଷ୍ଣନଙ୍କ ପରେ ଏବେ ବିରୋଧୀ ପ୍ରାର୍ଥୀ କିଏ ? –

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ଉଷ୍ମ ହୋଇଛି । ସେପ୍ଟେମ୍ବର ୯ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଏନଡିଏ ତା’ର ପ୍ରାର୍ଥୀ ଭାବେ ମହାରାଷ୍ଟ୍ରର ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା କରିସାରିଥିବା ବେଳେ ଏବେ ବିରୋଧୀରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିରୋଧୀ ଦଳ ଏପର୍ଯ୍ୟନ୍ତ ସେମାନଙ୍କର କାର୍ଡ ଖେଳିନାହାଁନ୍ତି ।

ସି.ପି ରାଧାକ୍ରିଷ୍ଣନ ମୂଳତଃ ତାମିଲନାଡୁର, ଦୀର୍ଘ ସମୟ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଜଡିତ ଅଛନ୍ତି । ସେ ଦୁଇ ଥର ଲୋକସଭା ସାଂସଦ ମଧ୍ୟ ରହିଛନ୍ତି । ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା ପରେ, ଏବେ ସମସ୍ତଙ୍କ ନଜର ବିରୋଧୀ ଦଳ ଉପରେ ରହିଛି ଯେ ସେମାନେ କେଉଁ ରଣନୀତି କରୁଛନ୍ତି ଏବଂ କାହାକୁ ପ୍ରାର୍ଥୀ ଘୋଷଣା କରିବେ । ମିଳିଥିବା ସୂଚନା ଅନୁସାରେ ଆଜି ସଂସଦ ଭବନ ପରିସରରେ ବିରୋଧୀ ଦଳଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରାର୍ଥୀଙ୍କ ନାମ ଉପରେ ଇଣ୍ଡି ମେଣ୍ଟଠାରୁ ମତାମତ ଲୋଡିବେ । ଖଡଗେଙ୍କ ସହ ପ୍ରାରମ୍ଭିକ ବୈଠକରେ ଇଣ୍ଡି ମେଣ୍ଟର କିଛି ଦଳ କହିଥିଲେ ଯେ ସେମାନଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେବା ଉଚିତ୍‍ ନୁହେଁ । କାରଣ ବିହାର ନିର୍ବାଚନ ଆଗକୁ ଅଛି । ଏପରି ପରିସ୍ଥିତିରେ ଯଦି ଶାସକ ଦଳ ନିର୍ବାଚନରେ କ୍ରସ୍‍ ଭୋଟିଂ କରାଇ ନିଜର ସଂଖ୍ୟା ବୃଦ୍ଧି କରିବେ, ତେବେ ଏହା ବିହାରର ଭୋଟରମାନଙ୍କ ଉପରେ ମାନସିକ ପ୍ରଭାବ ପକାଇପାରେ ।

– Advertisement –

ଯଦି ଆବଶ୍ୟକ ହୁଏ, ତେବେ ଏହି ପ୍ରସଙ୍ଗ ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରାଯିବ । ସୂଚନା ଅନୁସାରେ ରାହୁଲ ଗାନ୍ଧୀ ୧୯ ଅଗଷ୍ଟରେ ଦିଲ୍ଲୀ ଫେରିବେ ଏବଂ ୨୧ରେ ବିହାର ଯିବେ । ଏହି ସମୟ ମଧ୍ୟରେ ଯଦି ସମସ୍ତ ଦଳ ମଧ୍ୟରେ ସହମତି ହୁଏ, ତେବେ ବିରୋଧୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଅର୍ଥାତ୍‍ ଏନଡିଏର ନାମ ସ୍ପଷ୍ଟ ହୋଇଥିବା ବେଳେ ବିରୋଧୀ କିନ୍ତୁ କାର୍ଡ ଖେଳିନାହାଁନ୍ତି ।

Leave A Reply

Your email address will not be published.