ବଦଳିଲାନି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ସ୍ଥିତି: ଏବେ ବି ଭାସୁଛି ନର୍ଦ୍ଦମା ପାଣି

ଭୁବନେଶ୍ୱର: ବଦଳିଲାନି ଅତ୍ୟାଧୁନିକ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ର ଚିତ୍ର। ପ୍ରବେଶପଥରେ ଏବେ ବି ଭାସୁଛି ନର୍ଦ୍ଦମା ପାଣି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଭୁବନେଶ୍ବର ମହାନଗର ନିଗମ କମିସନର୍ ଡ୍ରେନେଜ୍ ବିଭାଗକୁ ଚିଠି କରିଥିଲେ। ଦିନକ ଭିତରେ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଡ୍ରେନେଜ୍ ବିଭାଗ ଯନ୍ତ୍ରୀମାନେ ଏହି ଚିଠିକୁ ଖାତିର କରିନାହାନ୍ତି। ତଳିଆ କର୍ମଚାରୀଙ୍କ ଉପରେ ଦାୟିତ୍ବ ଦେଇ ଅଧିକାରୀ ଚୁପ୍ ବସିଯାଇଛନ୍ତି। ଫଳସ୍ବରୂପ ଆଜି ବି ଯାତ୍ରୀମାନେ ନର୍ଦ୍ଦମା ପାଣି ମାଡ଼ି ବସ୍ଷ୍ଟାଣ୍ଡ୍ ଭିତରକୁ ପ୍ରବେଶ କରୁଛନ୍ତି।
ଗମନାଗମନ ସହ ଆକାର ଓ ପ୍ରକାର ପାଇଁ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଅନ୍ତରାଜ୍ୟ ବସ୍ ଟର୍ମିନାଲ୍(ଆଇଏସ୍ବିଟି)ର ମାନ୍ୟତା ପାଇଛି। ବିଡିଏ ପ୍ରାୟ ୨୧୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ବସ୍ଷ୍ଟାଣ୍ଡ୍ର ପୁନରୁଦ୍ଧାର କରିଛି। ଦୈନିକ ୮୦୦ଟି ଅନ୍ତଃଜିଲ୍ଲା ଓ ଅନ୍ତଃରାଜ୍ୟ ବସ୍ ଏହି ବସ୍ଷ୍ଟାଣ୍ଡ୍କୁ ଚଳାଚଳ କରୁଥିବା ବେଳେ ପ୍ରାୟ ୨ହଜାର ବସ୍ ଯାତାୟାତର ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ୧୫.୫ ଏକର ଜାଗାରେ ଠିଆ ହୋଇଥିବା ଏହି ବସଷ୍ଟାଣ୍ଡ୍ରେ ୨୦ହଜାର ବର୍ଗଫୁଟ ବାଣିଜ୍ୟିକ ଅଞ୍ଚଳ ରହିଥିବାବେଳେ କାର, ବାଇକ୍ ଆଦି ପାଇଁ ସ୍ବତନ୍ତ୍ର ପାର୍କିଂ, ପ୍ରତୀକ୍ଷା ଗୃହ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। କିନ୍ତୁ ଭିତରର ଏତେ ବ୍ୟବସ୍ଥା ଓ ସାଜସଜାକୁ ବାହାରର ନାଳ ନର୍ଦ୍ଦମାର ଦୃଶ୍ୟ ଫିକା ପକାଇ ଦେଉଛି। ବସ୍ଷ୍ଟାଣ୍ଡ୍ ପ୍ରବେଶପଥରେ ଏକ ଡ୍ରେନେଜ୍ ଚାମ୍ବର ଦେଇ ୨୦ ଦିନ ହେବ ନର୍ଦ୍ଦମା ପାଣି ପ୍ରବେଶପଥ ଓ ରାସ୍ତାଘାଟରେ ଭାସୁଛି। ନର୍ଦ୍ଦମା ପାଣିର ସୁଅ ବସ୍ଷ୍ଟାଣ୍ଡ୍ ପ୍ରବେଶପଥରୁ ଆସି ବରମୁଣ୍ଡା ଓଭର୍ବ୍ରିଜ୍ ତଳେ ଭାସିଲାଣି। ଓଭର୍ବ୍ରିଜ୍ ଅଣ୍ଡରପାସ୍ ଦେଇ ନର୍ଦ୍ଦମା ପାଣି ଖଣ୍ଡଗିରି ଆଡ଼କୁ ଯାଇଥିବା ରାସ୍ତାରେ ବହୁଛି। ତଥାପି ଭୁବନେଶ୍ବର ମହାନଗର ନିଗମ ଡ୍ରେନେଜ୍ ବିଭାଗ ଯନ୍ତ୍ରୀଙ୍କ ଚେତା ପଶିନି।
ଏ ସଂପର୍କିତ ବିସ୍ତୃତ ଖବର ପ୍ରକାଶ ପରେ କମିସନର୍ଙ୍କ ପକ୍ଷରୁ ଦିନକ ଭିତରେ ପ୍ରତିକାର ପାଇଁ ଚିଠି କରାଗଲା। ଚିଠି ପରେ ଲୋକ ଦେଖାଣିଆ ଭାବେ ବିଭିଜି ନାମକ ଏ ସଂସ୍ଥା ଜରିଆରେ ଚାମ୍ବର ହଟାଇ ପମ୍ପରେ ପାଣି ଖାଲି କରାଗଲା। କିନ୍ତୁ ସକାଳେ ଖାଲି ହୋଇଥିବା ନାଳ ଅପରାହ୍ଣକୁ ପୁଣି ଜାମ୍ ହୋଇ ଚାମ୍ବର ଦେଇ ରାସ୍ତାର ଭାସିଥିଲା। ସେବେଠୁ ଆଉ ଆଡ଼ ଆଖିରେ ଏହି ଜାଗାକୁ ଅନଉନି ଡ୍ରେନେଜ୍ ବିଭାଗ। ଫଳରେ ଯାତ୍ରୀମାନେ କଲବଲ ହୋଉଛନ୍ତି।