Jai Odisha
News

ରେକର୍ଡ କଲା ‘ମହାବତାର ନରସିଂହ’

‘ସୈୟାରା’ ଝଡ଼କୁ ଥମାଇ ଦେଲା ଆନିମେଟେଡ୍ ଫିଲ୍ମ ‘ମହାବତା‌ର ନରସିଂହ’। ରିଲିଜ୍‌ ପୂର୍ବରୁ ଫିଲ୍ମର କୌଣସି ପ୍ରଚାର କରାଯାଇ ନଥିବା ବେଳେ ରିଲିଜ୍ ପରେ ଦର୍ଶକ ଏବେ ଏହାର ପ୍ରଚାର ଆରମ୍ଭ କରିଛନ୍ତି। ଫଳସ୍ବରୂପ ଦିନକୁ ଦିନ ଫିଲ୍ମର ଆୟ ଓ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଦୁଇ ସପ୍ତାହ ସୁଦ୍ଧା ଏହାର ବକ୍ସ ଅଫିସ୍‌ ଆୟ ୧୦୦ କୋଟି ଟପିଛି। ‘ସୈୟାରା’ ଆଗରୁ ରିଲିଜ୍ ହୋଇ ନିଜର ଆଧିପତ୍ୟ ବିସ୍ତାର କରିଥିବା ବେଳେ ‘ମହାବତାର ନରସିଂହ’ ଜୁଲାଇ ୨୫ରେ ରିଲିଜ୍ ହୋଇଥିଲା। ତଥାପି ଫିଲ୍ମଟି ବକ୍ସ ଅଫିସ୍‌ରେ ନିଜର ସ୍ଥାନ ତିଆରି କରିଛି। ‘ସୈୟାରା’ ଏବଂ ‘ମହାବତାର ନରସିଂହ’ ସମ୍ପୂର୍ଣ୍ଣ ଭିନ୍ନ ଧାରାର ହୋଇଥିଲେ ହେଁ ପ୍ରେକ୍ଷାଳୟରେ ୨ଟିଯାକ ଫିଲ୍ମ ଧମାଲ୍‌ କରୁଛନ୍ତି। ଦୁଇଟିଯାକ ଫିଲ୍ମ ଭଲ ରୋଜଗାର କରୁଛନ୍ତି।

ଧାର୍ମିକ କାହାଣୀ ଆଧାରିତ ସିନେମା ହୋଇଥିବାରୁ ଲୋକେ ପାଦରୁ ଜୋତା କାଢ଼ି ପ୍ରେକ୍ଷାଳୟକୁ ଯାଉଥିବା ଦେଖିବାକୁ ମିଳୁଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରୁ ଏହା ଜଣାପଡ଼ିଛି। ଜୋତା କାଢ଼ିବା ସହ ଦର୍ଶକ ସଂକୀର୍ତ୍ତନ ମଧ୍ୟ କରୁଥିବା ଦେଖାଯାଇଛି। ଲୋକପ୍ରିୟତା ସହ ଆୟ ବଢ଼ିବା ପରେ ‘ମହାବତାର ନରସିଂହ’ ଏବେ ଅନ୍ୟ ସବୁ ବଡ଼ ବଜେଟ୍ ଆନିମେଟେଡ୍‌ ଫିଲ୍ମକୁ ପଛରେ ପକାଇ ଭାରତରେ ଅଧିକ ଆୟ କରିଥିବା ଆନିମେଟେଡ୍‌ ଫିଲ୍ମ ହୋଇପାରିଛି। ଫିଲ୍ମର ଶେଷ ୨୦ ମିନିଟ୍ ଦର୍ଶକଙ୍କୁ ଅଧିକ ପ୍ରଭାବିତ କରୁଛି। ଏହି ଫିଲ୍ମରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର ବିଷୟରେ ଦେଖାଯାଇଛି। ଏହାପରେ ଭଗବାନଙ୍କର ଆଉ ୯ଟି ଅବତାରକୁ ନେଇ ଆନିମେଟେ‌ଡ୍ ଫିଲ୍ମ ନିର୍ମାଣ କରିବ ବୋଲି ଘୋଷଣା କରିଛି ହୋ‌ମ୍ବଲେ ଫିଲ୍ମସ୍ । ‘ମହାବତାର ନରସିଂହ’ର ନିର୍ଦ୍ଦେଶନା ଅଶ୍ୱିନ କୁମାର ଦେଇଥିବା ‌ବେଳେ ଏହାର ନିର୍ମାଣ ଦାୟିତ୍ବରେ ଅଛନ୍ତି ଶିଳ୍ପା ଧାୱନ୍‌, କୁଶଲ୍‌ ଦେଶାଇ ଓ ଚୈତନ୍ୟ ଦେଶାଇ। କଲିମ୍‌ ପ୍ରଡକ୍ସନ୍‌ସ ଅଧୀନରେ ଏହାର ନିର୍ମାଣ କରାଯାଇଛି।

Leave A Reply

Your email address will not be published.