Jai Odisha
News

ବ୍ରହ୍ମପୁର ପୁଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଆହତ –

ଗୋପାଳପୁର: ଅପରାଧୀ ଧରପଗଡ ସମୟରେ ଗୋଳନ୍ଥରା ପୁଲିସ ଗୁଳିରେ ଗଞ୍ଜାମ ଜିଲ୍ଲାର ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ସୁନିଲ ନାହକ ଓରଫ ମଲ୍ଲ ଆହତ ହୋଇଛି। ତା’କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ୩ ଗୁଳି, ୨୧ ହଜାର ଟଙ୍କା ଜବତ କରିଛି।

ଶନିବାର ସକାଳେ ଗୋଳନ୍ଥରା ଥାନା ଆଇଆଇସି ତଥା ଡିଏସପି ବିବେକାନନ୍ଦ ସ୍ବାଇଁଙ୍କୁ ଏକ ବିଶ୍ବସ୍ତ ସୁତ୍ରରୁ ଖବର ମିଳିଥିଲା ଯେ ଅପରାଧୀ ସୁନୀଲ ପିତାତଳି ଅଞ୍ଚଳରେ ନିଜ ଗ୍ୟାଙ୍ଗ ସହ ରହଛି। ଏହା ପରେ ଥାନା ଅଧିକାରୀ ଏକ  ସ୍ୱତନ୍ତ୍ର ଟିମ ସହ  ସୁନିଲକୁ ଗିରଫ ପାଇଁ ପିତାତଳିରେ  ଚଢାଉ କରିଥିଲେ। ପୁଲିସ ଚଢ଼ାଉ କରିଥିବା ଜାଣି ସୁନିଲ ହଠାତ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ କରିଥିଲା। ପୁଲିସ ଗାଡ଼ିରେ ଦୁଇଟି ଯାକ ଗୁଳି ବାଜିଥିଲା। ଆଇଆଇସି ସୁନିଲକୁ ଆତ୍ମସମର୍ପଣ କରିବାକୁ କହିଥିଲେ ସୁଦ୍ଧା ସେ ବନ୍ଧୁକର ଭୟ ଦେଖାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା। ଶେଷରେ ପୁଲିସ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ପୁଲିସ ଗୁଳି ସୁନିଲର ବାମ ଗୋଡରେ ବାଜି ଥିଲା। ଯାହାଫଳରେ ସୁନିଲ ସେଠାରେ ପଡ଼ିଯାଇଥିଲା। ଅନ୍ୟମାନେ ସେଠାରୁ ଖସି ଯାଇଥିଲେ। ଆହତ ଅବସ୍ଥାରେ ପୁଲିସ ସୁନିଲକୁ ତୁରନ୍ତ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଇଥିଲା।

ସୁନିଲ ଘର କବିସୂର୍ଯ୍ୟନଗର ଆଇବି ରୋଡ୍‌ରେ ହୋଇଥିବା ବେଳେ ସେ ମଲ୍ଲ ନାମରେ ଅପରାଧ ଜଗତରେ ବେଶ୍ ପରିଚିତ ରହିଥିଲା। ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ଼ା. ଶ୍ରବଣ ବିବେକଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ସୁନିଲ ନାମରେ ପୂର୍ବରୁ ୨ଟି ହତ୍ୟା ମାମଲା ସହିତ ୨୦ରୁ ଊର୍ଦ୍ଧ୍ବ ମାମଲା ରହିଛି। ଗୋପାଳପୁର, ଗୋଳନ୍ଥରା, ନିମଖଣ୍ଡି ଥାନା ଅଞ୍ଚଳରେ ଏସବୁ ମାମଲା ରହିଛି। ସୁନିଲ ଗ୍ୟାଙ୍ଗ ନିକଟରେ ଗୁଳିମାଡ଼ କରି ଚେନ୍‌ ଲୁଟ କରିଥିଲେ। ଜଣେ ମହିଳା ତାଙ୍କ ଦୁଇ ଝିଅଙ୍କୁ ଟ୍ୟୁସନରୁ  ନେଇ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରି ଚେନ ଝାମ୍ପି  ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଥିଲା । ସୁନିଲ ବିଷୟରେ ଟିମ୍‌ ସୂଚନା ପାଇବା ପରେ ସେଠାରେ ଚଢାଉ କରାଯାଇଥିଲା।

Leave A Reply

Your email address will not be published.