ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ, ନର୍ସିଂ ଅଫିସର ଗିରଫ –

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ଏମ୍ସରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ନର୍ସିଂ ଅଧିକାରୀଙ୍କୁ ଗିରଫ କରାଯାଇଛି। ପ୍ରଥମେ ଅଭିଯୋଗକୁ ଗୁରୁତ୍ଵ ଦେଉ ନ ଥିବା ଖଣ୍ଡଗିରି ପୁଲିସ ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ନାନୁ ରାମ ଚୌଧୁରୀ।
ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଉକ୍ତ ମହିଳା ଆଟେଣ୍ଡାଣ୍ଟଙ୍କୁ ନର୍ସିଂ ଅଧିକାରୀ ଡାକ୍ତରଙ୍କ ରୁମକୁ ଟାଣି ନେଇ ଅସଦାଚରଣ କରିଥିଲେ। ସେଠାରେ ସେ ମହିଳାଙ୍କୁ ଟଣାଓଟରା କରିଥିଲେ। କିନ୍ତୁ ମହିଳା ଜଣକ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ। ଏ ନେଇ ସମ୍ପୃକ୍ତ ମହିଳା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ସୋମବାର ମହିଳା ଆଟେଣ୍ଡାଣ୍ଟମାନେ ଏମସ ପରିସରରେ ଧାରଣା ଦେଇ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ।