ନେପାଳରେ ପୁଣି ଜେନ-ଜେଡ୍ ବିକ୍ଷୋଭ –
କାଠମାଣ୍ଡୁ: ନେପାଳରେ ପୁଣି ଥରେ ଜେନ୍-ଜେଡଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭକୁ ନେଇ ବାରା ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ବାରା ହେଉଛି ବିହାର ସଂଲଗ୍ନ ନେପାଳର ଏକ ସୀମାନ୍ତ ଜିଲା। ବୁଧବାର ନେପାଳର ୟୁନିଫାଏଡ ମାର୍କ୍ସିଟ ଲେନିନଷ୍ଟ (ୟୁଏମ୍ଏଲ) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ସିପିଏନ୍) କର୍ମୀଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଏହି ବିକ୍ଷୋଭ ଆରମ୍ଭ ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରିଛନ୍ତି। ଏହା ସହିତ ଅଯଥାରେ ଦେଶରେ ରାଜନୈତିକ ଉତ୍ତେଜନା ସୃଷ୍ଟି ନ କରିବାକୁ କହିଛନ୍ତି। ସୁଶୀଳା କହିଛନ୍ତି ଯେ ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଦେଶରେ ନିର୍ବାଚନ ହେବାକୁ ଯାଉଛି। ଦେଶର ଗଣତନ୍ତ୍ର ଉପରେ ସମସ୍ତେ ଭରସା ରଖନ୍ତୁ। ସଂଯମତାର ସହିତ ବିକ୍ଷୋଭକୁ ଦମନ ପୂର୍ବକ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ସେ ଗୃହ ବିଭାଗ ଓ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।
ବୁଧବାର ୟୁଏମ୍ଏଲର କେତେକ ନେତା ବାରା ଜିଲା ଗସ୍ତ କରିବାକୁ ଯୋଜନା କରିଥିଲେ। ତେବେ ସେମାନଙ୍କ ଗସ୍ତକୁ ସିପିଏନ୍ କର୍ମୀମାନେ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପିପିଏମ୍ କର୍ମୀଙ୍କ ବିରୋଧକୁ ଜେନ୍-ଜେଡ୍ମାନେ ସମର୍ଥନ କରିଥିଲେ। ସିମରା ବିମାନବନ୍ଦର ନିକଟ ସିମରା ଚୌକ୍ରେ ହୋଇଥିବା ସଂଘର୍ଷରେ ଜେନ-ଜେଡ୍ର ବିକ୍ଷୋଭକାରୀଙ୍କ ମଧ୍ୟରୁ ୬ଜଣ ଆହତ ହୋଇଥିଲେ। ଏଥିପାଇଁ ଜେନ-ଜେଡ୍ଙ୍କ ପକ୍ଷରୁ ୟୁଏମଏଲ୍ର ୬ଜଣ କର୍ମୀ (କ୍ୟାଡର)ଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ୟୁଏମଏଲ୍ ନେତାମାନେ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ବାରା ଜିଲା ଗସ୍ତ କରିବାକୁ ଯୋଜନା କରିଥିଲେ। ମାତ୍ର ଏଥିପାଇଁ ସେମାନେ ସରକାରଙ୍କ ଠାରୁ ଅନୁମତି ଲୋଡି ନଥିଲେ। ବୁଧବାର ହୋଇଥିବା ସଂଘର୍ଷକୁ ନେଇ ଗୁରୁବାର ହଜାର ହଜାର ଜେନ୍-ଜେଡ୍ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଘଟାଇଥିଲେ। ଗତ ସେପ୍ଟେମ୍ବରରେ ନେପାଳରେ ଜେନ-ଜେଡ୍ଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ୭୬ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବିକ୍ଷୋଭ ପରେ ପ୍ରଧାନମନ୍ତ୍ରୀ ପଦରେ ଥିବା ୟୁଏମ୍ଏଲ ଅଧ୍ୟକ୍ଷ କେପି ଓଲି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ପାର୍ଲାମେଣ୍ଟକୁ ଭଙ୍ଗ କରିଥିଲେ। ସେପ୍ଟେମ୍ବର ୧୨ରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଗଠନ ହୋଇଥିଲା। ଅନ୍ତରୀଣ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ନିର୍ବାଚନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି।