ଜଳବିଭାଜିକା ଯୋଜନାରେ ସର୍ବାଧିକ ପରିମାଣର ପାଣ୍ଠି ବ୍ୟବହାର କରିଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା –

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ ର ଜଳବିଭାଜିକା ଅଧୀନରେ ପାଣ୍ଠି ବ୍ୟବହାରରେ ଓଡ଼ିଶା ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି। ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଏବଂ ଜମ୍ମୁ କାଶ୍ମୀର, ଲଦାଖ କେନ୍ଦ୍ରଶାସିତ ପ୍ରଦେଶର ଜଳବିଭାଜିକା-ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଅନୁମୋଦିତ ପାଣ୍ଠିର ୮୩% ବ୍ୟବହାର କରି ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଅଛି। ଏହି ପ୍ରକଳ୍ପର ଅବଧି ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ ପ୍ରକଳ୍ପ ବ୍ୟୟ ₹ ୭୫୯.୨୭ କୋଟି ଟଙ୍କା ଏବଂ ଏଥିରେ କେନ୍ଦ୍ର ଏବଂ ରାଜ୍ୟ ଅଂଶ ୬୦:୪୦ ରହିଛି।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା ସମୟରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ ଓଡ଼ିଶା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ମାନ୍ୟବର କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ WDC-PMKSY 2.0 ଅଧୀନରେ ଆବଣ୍ଟିତ ପାଣ୍ଠିର ସର୍ବୋତ୍ତମ ବ୍ୟବହାର ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହା ମଧ୍ୟ ଆଲୋକପାତ କରିଥିଲେ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ WDC-PMKSY 2.0 ଅଧୀନରେ ୭ଟି ଅତିରିକ୍ତ ପ୍ରକଳ୍ପ ମଞ୍ଜୁର କରାଯାଇଛି ଯାହାର ମୋଟ ପ୍ରକଳ୍ପ ବ୍ୟୟ ₹ ୮୨.୧୦ କୋଟି ଟଙ୍କା ହେବ ଏବଂ ଏହା ଦ୍ୱାରା ସମନ୍ୱିତ ଜଳଛାୟା ପରିଚାଳନା ମାଧ୍ୟମରେ ଜମିର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇପାରିବ। ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ସମୟରେ ଉପସ୍ଥିତ ଥିଲେ।