Jai Odisha
News

ବାଘୁଣୀ, ୪ ଶାବକଙ୍କ ମୃତ୍ୟୁ ଘଟଣାରେ ୩ ଗିରଫ –

ବେଙ୍ଗାଲୁରୁ: କର୍ଣ୍ଣାଟକର ଛାମରାଜାନଗର ଜିଲା ଅନ୍ତର୍ଗତ ଏକ ଅଭୟାରଣ୍ୟରେ ବିଷାକ୍ତ ଗାଈ ମାଂସ ଭକ୍ଷଣ କରି ବାଘୁଣୀ ଓ ଏହାର ୪ ଶାବକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ବନ ବିଭାଗ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମୃତ ଗାଈର ମାଲିକ ସାମିଲ ଥିବା ଜଣାପଡିଛି। ସୂଚନା ମୁତାବକ ଉକ୍ତ ବାଘୁଣୀ ନିକଟସ୍ଥ ଗ୍ରାମରେ ପ୍ରବେଶ କରି ମାଡୁରାଜୁ ନାମକ ବ୍ୟକ୍ତିଙ୍କ ଗୁହାଳରୁ ଗୋଟିଏ ଗାଈକୁ ମାରିବା ସହ ତାକୁ ଜଙ୍ଗଲକୁ ଘୋଷାଡି ଆଣିଥିଲା। ବାଘୁଣୀ ଓ ଏହାର ଶାବକମାନେ କିଛି ମାଂସ ଭକ୍ଷଣ କରିଥିବାବେଳେ ଅବଶି​‌ଷ୍ଟ ମୃତଦେହକୁ ଲୁଚାଇ ରଖିଥିଲେ। ମାଡୁରାଜୁ ଗାଈକୁ ଖୋଜିବାକୁ ଅଭୟାରଣ୍ୟ ଯାଇଥିଲେ। ସେଠାରେ ଗାଈର କ୍ଷତାକ୍ତ ମୃତଦେହ ଦେଖିବା ପରେ ସେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ। ଗାଈର ଅବଶିଷ୍ଟ ମୃତଦେହରେ ସେ ବିଷ ଛିଞ୍ଚିଥିଲେ। ପରବର୍ତ୍ତୀ ସମୟରେ ବାଘୁଣୀ ଓ ଶାବକଗୁଡିକ ଏହା ଖାଇବାପରେ ପ୍ରାଣ ହରାଇଥିବା ଜଣାପଡିଥିଲା। ଗାଈର ମୃତଦେହ ବ୍ୟବଚ୍ଛେଦ କରାଯିବାପ​‌େ​‌ର ଏଭଳି ବିଷ ମିଶାଯାଇଥିବାର ପ୍ରମାଣ ମିଳିଛି। ମାଡୁରାଜୁଙ୍କ ଏଭଳି ଅମାନବୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଥିବା ତାଙ୍କ ପିତା ଥାନାରେ ଏତଲା ଦାଏର କରିଥିଲେ। ସରକାର ଦେଶରେ ବାଘ ବଂଶ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ବାଘଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Comments are closed.