ମ୍ୟାଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୩୩୫୪ରେ ପହଞ୍ଚିଲା, ଭାରତ ପଠାଇଲା ଆଉ ୪୪୨ ଟନ ରିଲିଫ୍ –

ନୂଆଦିଲ୍ଲୀ : ମ୍ୟାଁମାରରେ ଗତ ୨୮ରେ ଘଟିଥିବା ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୩୩୫୪ରେ ପହଞ୍ଚିଛି। ଏହି ଘଟଣାରେ ୪୮୫୦ ଜଣ ଆହତ ହୋଇଥିବାବେଳେ ୨୨୦ ଜଣ ନିଖୋଜ ଥିବା ସମ୍ପର୍କରେ ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାର ମୁଖ୍ୟ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ସୂଚନା ଦେଇଛନ୍ତି। ନିକଟରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ଆୟୋଜିତ ଷଷ୍ଠ ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେଇ ସ୍ବଦେଶ ଫେରିବା ପରେ ଜେନେରାଲ ହ୍ଲାଇଙ୍ଗ୍ କହିଛନ୍ତି ଯେ ଭୂକମ୍ପଜନିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ମଧ୍ୟ ସହସ୍ରାଧିକ ଲୋକ ଧ୍ବଂସସ୍ତୂପ ତଳେ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି। ୨୦୨୧ରେ ଅଙ୍ଗ୍ ସାନ୍ ସୁ-କୀଙ୍କ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି ମ୍ୟାଁମାରରେ ପୁଣି ସାମରିକ ଶାସନ ଲାଗୁ କରାଯାଇଥିଲା। ତେବେ ସେହିଦିନଠାରୁ ଦେଶରେ ଗଣତନ୍ତ୍ର ସପକ୍ଷବାଦୀଙ୍କ ବିକ୍ଷୋଭ ଜାରି ରହିଥିବାବେଳେ ଏହାକୁ ଦମନ କରିବା ଜୁନ୍ତା ସରକାରଙ୍କ ପକ୍ଷରେ କଷ୍ଟକର ହୋଇପଡିଛି। ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକପ୍ରକାର ଭୁଶୁଡି ପଡିଥିବାବେଳେ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା କରିବାକୁ ସରକାର ଅକ୍ଷମ ହୋଇପଡିଛନ୍ତି। ଅପରପକ୍ଷରେ ଭାରତ ପକ୍ଷରୁ ଶନିବାର ମ୍ୟାଁମାରକୁ ଆଉ ୪୪୨ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଛି। ଏଥିମଧ୍ୟରେ ୪୦୫ ଟନ ଚାଉଳ, ୩୦ ଟନ ଖାଇବା ତେଲ, ୨ ଟନ ନୁଡୁଲ୍ସ, ଏବଂ ୫ ଟନ ବିସ୍କୁଟ ସାମିଲ କରାଯାଇଛି। ଏହି ରିଲିଫ୍ ସାମଗ୍ରୀକୁ ଜାହାଜ ଯୋଗେ ମ୍ୟାଁମାର ପଠାଯାଇଛି। ‘ଅପରେସନ ବ୍ରହ୍ମା’ ଅନୁଯାୟୀ ଭାରତ ପକ୍ଷରୁ ଇତିମଧ୍ୟରେ ମ୍ୟାଁମାରକୁ ସହସ୍ରାଧିକ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇସାରିଲାଣି। ଜୁନ୍ତା ସରକାର ଗଣତନ୍ତ୍ର ସପକ୍ଷବାଦୀ ଅଞ୍ଚଳକୁ ରିଲିଫ୍ ସାମଗ୍ରୀକୁ ପଠାଉନଥିବା ଜାତିସଂଘ ମାନବାଧିକାର କମିସନ ପକ୍ଷରୁ ଅଭିଯୋଗ କରାଯାଇଛି।