Jai Odisha
News

ଅପରେସନ୍‌ ସିନ୍ଦୂରକୁ ୨ ମାସ: ପାକ୍‌ ବାୟୁସେନା ଘାଟି‌ରେ ମରାମତି କାମ ସରୁନି

ନୂଆଦିଲ୍ଲୀ: ପାକିସ୍ତାନ ଲଗାତାର ତୃତୀୟ ଥର ପାଇଁ ରହିମ ୟାର ଖାନ୍‌ ବାୟୁସେନା ଘାଟିରେ ଏହାର ଏକମାତ୍ର ରନ୍‌ୱେର ବନ୍ଦ ଅବଧିକୁ ବୃଦ୍ଧି କରିଛି।  ପାକିସ୍ତାନ ଦ୍ବାରା ଜାରି ହୋଇଥିବା ସଦ୍ୟ ନୋଟମ୍‌ (ନୋଟିସ୍‌ ଟୁ ଏୟାରମେନ୍‌) ଅନୁଯାୟୀ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରନ୍‌ୱେରେ ବିମାନ ଚଳାଚଳ ବନ୍ଦ ରହିବ। କୌଣସି ନିର୍ଦ୍ଦିଷ୍ଟ କାରଣ ନଦର୍ଶାଇ‌ ନୋଟମ୍‌ରେ କୁହାଯାଇଛି ଯେ କାମ ଜାରି ରହିଥିବାରୁ ରନ୍‌ୱେ ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଉଲ୍ଲେଖଯୋଗ୍ୟ ଯେ ମେ’ ୧୦ ତାରିଖରେ ଭାରତର ଅପରେସନ୍‌ ସିନ୍ଦୂର ସମୟରେ ପ୍ରଥମ ନୋଟମ୍‌ ଜାରି ହୋ‌ଇଥିଲା। ପଂଜାବ ପ୍ରଦେଶର ବାୟୁସେନା ଘାଟିର ରନ୍‌ୱେ ସପ୍ତାହକ ପାଇଁ ଉପଲବ୍ଧ ହେବନାହିଁ ବୋଲି ପ୍ରଥମ ନୋଟମ୍‌ରେ କୁହାଯାଇଥିଲା।

ଦ୍ବିତୀୟ ନୋଟମ୍‌ ଜୁନ୍‌ ୪ ତାରିଖରେ ଜାରି ହୋଇଥିଲା ଏବଂ ପରେ ଏହାକୁ ଜୁଲାଇ ୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ନୋଟମ୍‌କୁ ପୁଣିଥରେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଲ୍ଳେଖଯୋଗ୍ୟ ଯେ ରହିମ ୟାର ଖାନ୍‌ ବିମାନବନ୍ଦରକୁ ୨ଟି କାରଣ ପାଇଁ ବ୍ୟବହାର କରାଯାଉଛି। ବାୟୁସେନା ଘାଟି ବାଦ୍‌ ଏଠାରେ ଶେଖ ଜାୟେଦ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ରହିଛି। ଅପରେସନ୍‌ ସିନ୍ଦୂର ସମୟରେ ଟାର୍ଗେଟ୍‌ କରାଯାଇଥିବା ୧୧ଟି ସାମରିକ ଘାଟି ମଧ୍ୟରୁ ଏହା ହେଉଛି ଗୋଟିଏ।  ଉଲ୍ଳେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବିକା‌ନେରରେ ଏକ ରୢାଲି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିବା ସମୟରେ ଦୀର୍ଘ ଦିନ ଧରି ରହିମ ୟାର ଖଶନ୍‌ ବାୟୁସେନା ଘା‌ଟି ବନ୍ଦ ପ୍ରସଙ୍ଗ ଉଠାଇଥିଲେ। ପାକିସ୍ତାନର ରହିମ ୟାର ଖାନ୍‌ ବାୟୁସେନା ଘାଟି ଏବେ ବି ଆଇସିୟୁରେ ଅଛି ଏବଂ ଏହା କେବେ ପୁଣି କାର୍ଯ୍ୟକ୍ଷମ ହେବ ଜଣା ନାହିଁ ବୋଲି ମୋଦୀ କହିଛନ୍ତି।

Comments are closed.