ରାସ୍ତାରେ ବହୁଛି ମଇଳା ପାଣି

ଭୁବନେଶ୍ୱର: ରାଜଧାନୀରେ ବର୍ଷା ଦିନେ ସ୍ୱେରେଜ୍ ପାଣି ବହିବା ନିତିଦିନିଆ ଘଟଣା ହୋଇଗଲାଣି। ସହିଦନଗର ଅଞ୍ଚଳରେ ଏବେ ଏମିତି କଦର୍ଯ୍ୟ ଅବସ୍ଥା ଦେଖିବାକୁ ମିଳିଛି। ଏଠାରେ ବହୁ ସ୍ଥାନରେ ସ୍ୱେରେଜ୍ ଚାମ୍ୱରରୁ ପାଣି ବାହାରି ରାସ୍ତାରେ ବହୁଛି। ଏହି ଅଞ୍ଚଳର ବହୁ ତଳ ପାର୍କିଂ ଆଗରେ ଥିବା ଚାମ୍ୱରରୁ ମଇଳା ପାଣି ବାହାରି ରାସ୍ତାରେ ଲହଡ଼ି ମାରୁଛି। ଫଳରେ ଗାଡ଼ି ପାର୍କିଂ କରିବା ପାଇଁ ଯାଉଥିବା ଲୋକେ ନାକରେ ରୁମାଲ ବାନ୍ଧୁଥିବା ଦେଖିବାକୁ ମିଳୁଛି। ସେହି ରାସ୍ତାରେ ଲୋକେ ସହିଦନଗର ହାଟ ଓ ମନ୍ଦିରକୁ ଯାଉଛନ୍ତି। ସେମାନଙ୍କୁ ମଇଳା ପାଣିରେ ପଶି ଯିବାକୁ ପଡ଼ୁଛି।
ଏନେଇ ବାରମ୍ୱାର ଅଭିଯୋଗ କଲା ପରେ ମଧ୍ୟ ସ୍ଥିତି ସୁଧୁରୁନାହିଁ। ସେହିପରି ସହିଦନଗର ଭବାନୀ ମଲ୍ ନିକଟରେ ମଧ୍ୟ ମ୍ୟାନ୍ହୋଲ୍ରୁ ପାଣି ଉଛୁଳି ରାସ୍ତାରେ ବହୁଛି। ସ୍ୱେରେଜ୍ ଲାଇନ୍ରେ ଆବର୍ଜନା ଭର୍ତ୍ତି ହୋଇଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଏନେଇ କର୍ପୋରେଟର ରାଜକିଶୋର ଦାସଙ୍କ କହିବା କଥା ସ୍ୱେରେଜ୍ ଲାଇନ୍ର ଅଚଳାବସ୍ଥାକୁ ନେଇ ସେ ବାରମ୍ୱାର ଵାଟ୍କୋ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଏହି ସମସ୍ୟାର ହୋଇଯିବ ବୋଲି ସେ କହିଛନ୍ତି। ମ୍ୟାନ୍ହୋଲ୍ ନିକଟରେ ଆବର୍ଜନା ନ ଗଦା କରିବା ପାଇଁ ମଧ୍ୟ ଲୋକଙ୍କୁ ସଚେତନତା କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି।
Comments are closed.