Jai Odisha
News

ଅଭିଶପ୍ତ ଇଲାକା!

ପଶ୍ଚିମ ଭାରତ‌େର ଘଟିଛି ସର୍ବାଧିକ ବିମାନ ଦୁର୍ଘଟଣା। ଏହି ଦୁର୍ଘଟଣା ସହ ଯୋଡ଼ି ହୋଇଯାଇଛି ନିକଟରେ ଘଟିଥିବା ଅହମଦାବାଦର ମର୍ମନ୍ତୁଦ ବିମାନ ଦୁର୍ଘଟଣା। କାହିଁକି ଘଟୁଛି ଏପରି? ଭାରତର ପଶ୍ଚିମାକାଶ କ’ଣ ତେବେ ଉଡ଼ାଣର ଅଭିଶପ୍ତ ଇଲାକା! ଏହି ଇଲାକା‌େର ଏଯାବତ୍‌ ଘଟିଆସିଥିବା ବିମାନ ଦୁର୍ଘଟଣାକୁ ନେଇ ଏଥରର ପ୍ରମୁଖ ପ୍ରସଙ୍ଗ।
ଉପସ୍ଥାପନା: ରବିବାର ସମ୍ବାଦ

ଅହମଦାବାଦ ବିମାନ ଦୁର୍ଘଟଣା ଭାରତୀୟ ଉଡ଼ାଣ ଇତିହା‌ସକୁ ରକ୍ତରଂଜିତ କରିଛି। ତେବେ ଅହମଦାବାଦ ଆକାଶରେ ରକ୍ତଛିଟା ଲାଗିବା ଘଟଣା ପ୍ରଥମ ନୁହେଁ, ୧୯୮୮ ମସିହାରେ ମଧ୍ୟ ସେଠାରେ ଏକ ଭୟଙ୍କର ବିମାନ ଦୁର୍ଘଟଣାରେ ୧୩୩ ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏହି ପରିପ୍ରେକ୍ଷୀରେ ଆମେ ଯଦି ଦେଶରେ ବିମାନ ଦୁର୍ଘଟଣାର ଇତିହାସକୁ ପରଖିବା ତେବେ ଲକ୍ଷ୍ୟ କରିବା, ପଶ୍ଚିମ ଭାରତରେ ହିଁ ଅଧିକ ସଂଖ୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମପ୍ରାନ୍ତର ଦୁଇ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟରେ ହିଁ ଘଟିଛି ସର୍ବାଧିକ ବିମାନ ଦୁର୍ଘଟଣା। କିନ୍ତୁ କାହିଁକି? ଏହା କେବଳ ଏକ ସଂଯୋଗ ନା ଏହା ପଛରେ ରହିଛି କୌଣସି ରହସ୍ୟ! ଯଦିଓ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଏଯାଏ ନିରୂପିତ ହୋଇନାହିଁ କିମ୍ବା ସେ ଦିଗରେ ମାନସମନ୍ଥନ ଆରମ୍ଭ ହୋଇନାହିଁ, କିନ୍ତୁ ବିମାନ ଯାତ୍ରୀ ଓ ବିମାନ ଯାତ୍ରା ପାଇଁ ଏହା ଏକ ଅଭିଶପ୍ତ ଇଲାକା ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରାକ୍‌ ସ୍ବାଧୀନତା କାଳରୁ ଏଯାବତ୍‌ ପଶ୍ଚିମ ଭାରତରେ ଘଟିଥିବା ବିମାନ ଦୁର୍ଘଟଣାଗୁଡ଼ିକୁ ଅବ‌ଲୋକନ କଲେ ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ।  

ଅଗ‌ଷ୍ଟ ୧୪, ୧୯୪୩ 
କ‌ଲମ୍ବୋରୁ କରାଚୀ ମଧ୍ୟରେ ଯାତାୟାତ କରୁଥିବା ‘ଟାଟା ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ସ୍’ର ଗୋଟାଏ ‘ଷ୍ଟିନ୍‌ସନ୍‌ ମଡେଲ୍‌ ଏ’ ବିମାନ ପୁଣେ-ବମ୍ବେ ଦେଇ ଯାତ୍ରା କରୁଥିବା ବେଳେ ମହାରାଷ୍ଟ୍ରର ଲୋନାୱାଲା ଅଞ୍ଚଳ ଅନ୍ତର୍ଗତ ଜାମ୍ବୋଲି ଗ୍ରାମ ନିକଟରେ ଥିବା ଗୋଟାଏ ପର୍ବତ ଦେହରେ ଧକ୍କା ଖାଇଥିଲା। ଏହି ଦୁର୍ଘଟଣାରେ ୩ଜଣ ବିମାନ କର୍ମଚାରୀ ଓ ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

ଜୁଲାଇ ୧୨, ୧୯୪୯ ଇଣ୍ଡୋନେସିଆର ଜାକର୍ତାରୁ ଆମ୍‌ଷ୍ଟର୍‌ଡାମ୍‌ ମଧ୍ୟରେ ଚଳାଚଳ କରୁଥିବା ଗୋଟାଏ ପଞ୍ଜିକୃତ ୨ପିଏଚ୍‌-ଟିଡିଏଫ୍‌ ‘କେଏଲ୍‌ଏମ୍‌’ ‘ଲକ୍‌ହିଡ୍‌ କନ୍‌ଷ୍ଟେଲେସନ୍‌’ ବିମାନ ଯାତ୍ରାପଥରେ ଦିଲ୍ଲୀ-ବମ୍ବେ ଦେଇ ଗଲାବେଳେ ମନ୍ଦ ପାଗ‌ ଯୋଗୁଁ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଘାଟକୋପର ଓ ପୋୱାଇ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଦୁଇଟି ପର୍ବତ‌ ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୧୧ଜଣ ବିମାନ କର୍ମଚାରୀ ଏବଂ ପୁଲିଜର୍‌ ପୁରସ୍କାର ବିଜେତା ପ୍ରଖ୍ୟାତ ଆମେରିକୀୟ ସାମ୍ବାଦିକ ଏଚ୍‌. ଆର୍‌. ନିକର୍‌ବୋକର୍‌ଙ୍କ ସମେତ ୩୪ଜଣ ଯାତ୍ରୀ ମୃତ୍ୟୁବରଣ କରିଥି‌େଲ। ଏହାକୁ ସ୍ବାଧୀନ ଭାରତର ପ୍ରଥମ ଭୟାବହ ବିମାନ ଦୁର୍ଘଟଣା ବୋଲି ବିବେଚନା କରାଯାଏ। କେବଳ ନିକର୍‌ବକର୍‌ ନୁହନ୍ତି ଏଥିରେ ଆହୁରି କେତେଜଣ ଆମେରିକୀୟ ସାମ୍ବାଦିକ ଥିବାରୁ ସେତେବେଳେ ଏ ବିମାନ ଦୁର୍ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚିତ ହୋଇଥିଲା।

ଜୁଲାଇ ୭, ୧୯୬୨
ସିଡ୍‌ନିରୁ ଡାର୍‌ୱିନ୍‌, ବ୍ୟାଙ୍ଗ୍‌କକ୍‌, ବମ୍ବେ, କରାଚୀ ଓ ତେହେରାନ୍‌ ‌ବାଟ ଦେଇ ରୋମ୍‌ ଅଭିମୁଖେ ଯାଉଥିବା ଗୋଟାଏ ଆଲିଟାଲିଆ ଫ୍ଲାଇଟ୍‌ ୭୭୧ ବିମାନ ବମ୍ବେ ଆସିବା ରାସ୍ତାରେ ମଧ୍ୟରାତ୍ରରେ ବମ୍ବେର ଉତ୍ତର-ପୂର୍ବରେ ଅବସ୍ଥିତ ଗୋଟାଏ ପର୍ବତ ଶୀର୍ଷରେ ଧକ୍କା ଖାଇଥିଲା। ୯ଜଣ ବିମାନକର୍ମଚାରୀଙ୍କ ସମେତ ଏଥିରେ ଯାତ୍ରା କରୁଥିବା ସମସ୍ତ ୯୪ଜଣ ଯାତ୍ରୀ ଜୀବନ ହରାଇଥିଲେ। ତଦନ୍ତକାରୀମାନେ ଏହି ବିମାନ ଦୁର୍ଘଟଣା ସଂକ୍ରାନ୍ତରେ କେତେଗୁଡ଼ିଏ ସମ୍ଭାବ୍ୟ କାରଣ ଖୋଜିପାଇଥିଲେ ବି ରାଡାର୍‌ ବିଭ୍ରାନ୍ତି ଯୋଗୁଁ ସେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି କୁହାଗଲା।

ଜୁଲାଇ ୨୮, ୧୯୬୩
ୟୁନାଇଟେଡ୍‌ ଆରବ ଏୟାର୍‌ଲାଇନ୍‌ସ୍‌ ଫ୍ଲାଇଟ୍‌ ୮୬୯ ବମ୍ବେର ସାନ୍ତାକ୍ରୁଜ୍‌ ବିମାନବନ୍ଦରରେ ଅବତରଣ କରିବା ଲାଗି ପହଞ୍ଚୁଥିବା ବେଳେ ରାତି ୧:୪୬ରେ ଦୁର୍ଘଟଣାଗ୍ରସ୍ତ ହୋଇ ଆରବସାଗର ମଧ୍ୟକୁ ଖସିପଡ଼ିଥିଲା। କ୍ରୁ’ମାନଙ୍କ ସମେତ ସେଥିରେ ଥିବା ୬୩ଜଣ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ବାସ୍ତବ କାରଣ ଜଣା ନ ପଡ଼ିଥିଲେ ବି ତଦନ୍ତକାରୀମାନେ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ପବନ ଝଟ୍‌କା ଓ ପ୍ରବଳ ବର୍ଷା ଯୋଗୁଁ ବିମାନଟି ସମ୍ଭବତଃ ସନ୍ତୁଳନ ହରାଇଥିଲା। ସମୁଦାୟ ୫୫ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪ଜଣ ଥିଲେ ଫିଲିପ୍ପିନ୍‌ସ୍‌ ବୟ ସ୍କାଉଟ୍‌ ପ୍ରତିନିଧି ଦଳ ଓ ବାକି ପ୍ରାପ୍ତବୟସ୍କ ବ୍ୟକ୍ତି। ଏହି ବିମାନ ଜାପାନର ଟୋକିଓରୁ ହଂକଂ, ବ୍ୟାଙ୍ଗ୍‌କକ୍‌, ବମ୍ବେ ଓ ବାହାରିନ୍‌ ଦେଇ କାଇରୋ ଅଭିମୁଖେ ଯାତ୍ରା କରୁଥିଲା।

ସେପ୍ଟେମ୍ବର ୧୯, ୧୯୬୫
ଦୁଇ ଇଞ୍ଜିନ୍‌ବିଶିଷ୍ଟ ଗୋଟାଏ ବିଚ୍‌କ୍ରାଫ୍ଟ ୧୮ ମଡେଲ୍‌ ବିମାନକୁ ଗୋଟାଏ ପାକିସ୍ତାନୀ ଲଢୁଆ ବିମାନ ଗୁଜରାଟରେ ଗୁଳିମାରି ଖସାଇ ଦେଇଥିଲା। ପାକିସ୍ତାନର ସେ ଲଢୁଆ ବିମାନଟି ଥିଲା ଆମେରିକାଦ୍ବାରା ନିର୍ମିତ ‘ଏଫ୍‌-୮୬ ସେବୁ’। ସେଥିରେ ଥିବା ୮ଜଣ ବ୍ୟକ୍ତି ଏହି ଦୁର୍ଘଟଣାରେ ନିହତ ହୋଇଥିଲେ। ନିହତ ଯାତ୍ରୀମାନେ ଥିଲେ ଗୁଜରାଟ ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବଳବନ୍ତରାଇ ମେହେଟା, ତାଙ୍କ ସ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କର୍ମଚାରୀଙ୍କ ମଧ୍ୟରୁ ୩ଜଣ, ଜଣେ ସାମ୍ବାଦିକ ଓ ଦୁଇଜଣ ବିମାନ କର୍ମଚାରୀ। ଗୁଜରାଟ ବିଚ୍‌କ୍ରାଫ୍ଟ୍‌ ଇନ୍‌ସିଡେଣ୍ଟ୍‌ ଭାବେ ବିଦିତ ଏ ଅଘଟଣ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଘଟିଥିଲା। ଏ ବିମାନ ଉପରକୁ ଗୁଳି ଚଳାଇଥିଲେ ‘ପିଏଏଫ୍‌’ ଫ୍ଲାଇଙ୍ଗ୍‌ ଅଫିସର୍‌ କ୍ବାସି ହୁସେନ୍‌।

ସେପ୍ଟେମ୍ବର ୨୪,୧୯୭୨ ଲଣ୍ଡନ୍‌ରୁ ଫ୍ରାଙ୍କ୍‌ଫଟ୍‌, ରୋମ୍‌, ବିରୁଟ୍‌, ତେହେରାନ୍‌, ବମ୍ବେ, ବ୍ୟାଙ୍ଗ୍‌କକ୍‌ ଓ ହଂକଂ ହୋଇ ଟୋକିଓ ଅଭିମୁଖେ ଯାଉଥିବା ‘ଜାପାନ ଏୟାର୍‌ଲାଇନ୍‌ସ୍‌ ଫ୍ଲାଇଟ୍‌ ୪୭୨’ ବିମାନ ଭୁଲ୍‌ ବିମାନବନ୍ଦରରେ ଅବତରଣ କରି ରନ୍‌ୱେ ବାହାରକୁ ଚାଲିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରକୃତରେ ବିମାନଟି ସେ ସମୟରେ ବମ୍ବେର ମୁଖ୍ୟ ବିମାନବନ୍ଦର ସାନ୍ତାକ୍ରୁଜ୍‌ରେ ଅବତରଣ ନ କରି ବମ୍ବେ ନିକଟସ୍ଥ ଜୁହୁ ବିମାନବନ୍ଦରରେ ଅବତରଣ କରି ରନ୍‌ୱେ ଅତିକ୍ରମ କରିଯାଇଥିଲା। ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସମ୍ମତି ଥିଲେ ବି ବିମାନକୁ ରନ୍‌ୱେରେ ଅବତରଣ କରାଇବାରେ ପାଇଲଟ୍‌ ଅସଫଳ ହୋଇ ବ୍ରେକ୍‌ କଷିବା ସତ୍ତ୍ବେ ବିମାନଟି ଅଟକି ନ ଥିଲା। ଏଥିରେ ଥିବା ୯ଜଣ ଯାତ୍ରୀ ଓ ୨ଜଣ କ୍ରୁ’ସଦସ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ; ସୌଭାଗ୍ୟର କଥା ସେଥିରେ ଥିବା ସମସ୍ତ ୧୨୨ଜଣ ବ୍ୟକ୍ତି ବଞ୍ଚିଯାଇଥିଲେ।

ଅକ୍‌ଟୋବର ୧୨, ୧୯୭୬
ଟର୍ବାଇନ୍‌ ଇଞ୍ଜିନ୍‌ ଅଚଳ ହୋଇଯିବାରୁ ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌ସ୍‌ର ଫ୍ଲାଇଟ୍‌ ୧୭୧ ବମ୍ବେ ବିମାନବନ୍ଦରରେ ଜରୁରୀ ଅବତରଣ କରିବା ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳତଃ ସେଥିରେ ଥିବା ୯୫ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ବମ୍ବେରୁ ମାଡ୍ରାସ୍‌ ଅଭିମୁଖେ ଯାଉଥିବା ବେଳେ ‘ଫ୍ଲାଇଟ୍‌ ୧୭୧’ରେ ୨ ନମ୍ବର ଇଞ୍ଜିନ୍‌ କାମ ନ କରିବାରୁ ଫେରିଆସି ବମ୍ବେ ବିମାନବନ୍ଦରର ୦୯ ରନ୍‌ୱେରେ ଜରୁରୀ ଅବତରଣ ନିମନ୍ତେ ଉଦ୍ୟମ କରିବା ସମୟରେ ୩୦୦ ଫୁଟ୍‌ ଉଚ୍ଚରୁ ଭାରସାମ୍ୟ ହରାଇ ତଳେ ପଡ଼ି ଜଳିଯିବାରୁ ସେଥିରେ ଥିବା ସମସ୍ତ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

ଜାନୁଆରି ୧, ୧୯୭୮
ବମ୍ବେରୁ ଦୁବାଇ ଯାଉଥିବା ବେଳେ ଯାତ୍ରୀବାହୀ ବିମାନ ‘ଏୟାର୍‌ ଇଣ୍ଡିଆ ଫ୍ଲାଇଟ୍‌ ୮୫୫’ ଦୁର୍ଘଟଣାଗ୍ରସ୍ତ ହୋଇ ଆରବସାଗରରେ ଖସିପଡ଼ିଥିଲା। ଆକାଶକୁ ଉଠିବାର ପ୍ରାୟ ୨ ମିନିଟ୍‌ ଭିତରେ ବାନ୍ଦ୍ରାଠାରୁ ପ୍ରାୟ ୩ କିଲୋମିଟର ଦୂର ସମୁଦ୍ର ମଧ୍ୟକୁ ଖସିପଡ଼ିଥିବା ସେ ବୋଇଙ୍ଗ୍‌ ୭୪୭ ବିମାନରେ ଥିବା ୨୧୩ଜଣ ଯାତ୍ରୀ ଓ କ୍ରୁ’ସଦସ୍ୟଙ୍କର ପ୍ରାଣହାନୀ ଘଟିଥିଲା। ୨୭ ନମ୍ବର ରନ୍‌ୱେରୁ ଉଠିବାର ପ୍ରାୟ ଏକ ମିନିଟ୍‌ ପରେ ବମ୍ବେ ତଟରେଖା ଅତିକ୍ରମ କରି ଡାହାଣ ଆଡ଼କୁ ଯାଇ ଆରବସାଗର ଉପରେ ଉଡ଼ିବା ବେଳେ ସ୍ବଳ୍ପ ସମୟ ପାଇଁ ସ୍ବାଭାବିକ ସ୍ତରକୁ ଚାଲିଆସିଥିଲା ବିମାନ। ହଠାତ୍‌ ବିମାନଟି ବାମ ଆଡ଼କୁ ଢଳି ପଡ଼ିଥିଲା ଏବଂ ଆଉ ସ୍ବାଭାବିକ ସ୍ତରକୁ ଆସି ନଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ବିମାନର କୌଣସି ଯନ୍ତ୍ରାଂଶ ଅଚଳ ହୋଇଯିବାରୁ ଚାଳକ ସମ୍ଭବତଃ ଗତି ଓ ସ୍ଥିତି ବେଗ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରି ନଥିଲେ।

ଜୁନ୍‌ ୨୧, ୧୯୮୨
ଏହିଦିନ ଏୟ‌ାର୍‌ ଇଣ୍ଡିଆର ନିୟମିତ ଯାତ୍ରୀବାହୀ ବିମାନ ‘ଫ୍ଲାଇଟ୍‌ ୪୦୩’ ବମ୍ବେସ୍ଥିତ ସାହାର ଆନ୍ତର୍ଜାତିକ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୋଇଙ୍ଗ୍‌ ୭୦୭-୪୩୭ ସେ ବିମାନର ନାଁ ଥିଲା ଗୌରୀଶଙ୍କର। କୁଆଲାଲୁମ୍ପୁର ଆନ୍ତର୍ଜାତିକ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା ବିମାନଟି ମାଡ୍ରାସ୍‌ ବାଟ ଦେଇ ବମ୍ବେରେ ପହଞ୍ଚିବା ବେଳେ ଝଡ଼ବର୍ଷା ହେଉଥିଲା। ସାହାର ବିମାନବନ୍ଦର‌ରେ ଅବତରଣ କରିବା ବେଳେ ତାହା କଚାଡ଼ି ହୋଇପଡ଼ିଥିଲା। ବିମାନରେ ଥିବା ୧୨ଜଣ କ୍ରୁ’ଙ୍କ ମଧ୍ୟରୁ ୨ଜଣ ଓ ୯୯ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଉଚ୍ଚତା ସମ୍ବନ୍ଧରେ ଅସଚେତନ ଥାଇ ପାଇଲଟ୍‌ ୧୨ ସେକେଣ୍ଡ୍‌ ଆଗରୁ ଇଞ୍ଜିନ୍‌ ପାୱାର୍‌ ହ୍ରାସ କରିଦେଇଥିଲେ। ଫଳରେ ବିମାନ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍‌ କରିଥିଲା।

ଅକ୍‌ଟୋବର ୧୯, ୧୯୮୮
ମୁମ୍ବାଇ ଓ ଅହମଦାବାଦ ମଧ୍ୟରେ ଚଳାଚଳ କରୁଥିବା ‘ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌ସ୍‌’ର ‘ଫ୍ଲାଇଟ୍‌ ୧୧୩’ ସେଦିନ ତା’ର ଶେଷ ଅବତରଣସ୍ଥଳୀ ଅହମଦାବାଦ ବିମାନବନ୍ଦରରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ହୋଇଥିଲ‌ା। ‘ଇଣ୍ଡିଆନ୍‌ ଏୟ‌ାର୍‌ଲାଇନ୍‌ସ୍‌’ ଇତିହାସରେ ସବୁଠୁ ଭୟାବହ ଭାବେ ବିଦିତ ଏହି ଦୁର୍ଘଟଣାରେ ୧୩୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଦୁଇଜଣ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ। ସେଦିନ ଜଣେ ଯାତ୍ରୀ ଆସି ନଥିବାରୁ ସେ ବିମାନ ନିର୍ଦ୍ଧାରିତ ସମୟଠାରୁ ୨୦ ମିନିଟ୍‌ ବିଳମ୍ବରେ ବମ୍ବେରୁ ଉଡ଼ାଣ ଆରମ୍ଭ କରିଥିଲା। ବିମାନର କ୍ରୁ’ମାନେ ଅହମଦାବାଦ ଆପ୍ରୋଚ୍‌ କଣ୍ଟ୍ରୋଲ୍‌ଙ୍କ ସହିତ ଯୋଗାଯୋଗ କରି ଜାଣିଲେ ଯେ ଖରାପ ପାଣିପାଗ ଯୋଗୁଁ ବିମାନବନ୍ଦର ଦୃଶ୍ୟତା ୩ କିଲୋମିଟରକୁ ହ୍ରାସ ପାଇଛି। ସେ ଯାହାହେଉ, ପ୍ରାୟ ଅଧଘଣ୍ଟାଏ ପରେ ବିମାନ ଅବତରଣ ଲାଗି ଅନୁମତି ମିଳିଥିଲା। କିନ୍ତୁ, ଦୃଶ୍ୟତା ବିଭ୍ରାଟ ଯୋଗୁଁ ଦୁଇ ପାଇଲଟ୍‌ ଭଲଭାବେ ରନ୍‌ୱେ ନିରୀକ୍ଷଣ କରୁଥିବା ବେଳେ ବିମାନର ଉଚ୍ଚତା ଓ ଗତି ପ୍ରତି ଧ୍ୟାନ ଦେଇ ପାରି ନଥିଲେ। ଫଳରେ ବିମାନ ଅହମଦାବାଦର ଚିଲୋଦା କୋତାରପୁର ଗାଁ ଉପକଣ୍ଠସ୍ଥିତ ନୋବଲ୍‌ ନଗର ହାଉସିଙ୍ଗ୍‌ ସୋସାଇଟି ପାଖରେ ଥିବା ଗଛବୃଚ୍ଛ ଓ ଉଚ୍ଚ ଶକ୍ତିସମ୍ପନ୍ନ ବିଜୁଳି ତାରରେ ପିଟିହୋଇଯାଇଥିଲା।

ଏପ୍ରିଲ୍‌ ୨୬, ୧୯୯୩
ଔରଙ୍ଗାବାଦ ଓ ବମ୍ବେ ମଧ୍ୟରେ ଚଳାଚଳ କରୁଥିବା ‘ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌ସ୍‌’ର ଯାତ୍ରୀବାହୀ ବୋଇଙ୍ଗ୍‌ ବିମାନ ‘ଫ୍ଲାଇଟ୍‌ ୪୯୧’ ଦୁର୍ଘଟଣାଗ୍ରସ୍ତ ହେବାରୁ ୫୫ଜଣ‌ ଯାତ୍ରୀ ପ୍ରାଣ ହରାଇଥିଲେ ଏବଂ ୬୩ଜଣ ଆହତ ହୋଇଥିଲେ। ମହାରାଷ୍ଟ୍ରର ଔରଙ୍ଗାବାଦରୁ ଉଡ଼ାଣ ଆରମ୍ଭ କରିବା ବେଳେ ବିମାନଟି ରନ୍‌ୱେର ଶେଷ ପ୍ରାନ୍ତରେ ଥିବା ଗୋଟାଏ ଟ୍ରକ୍‌ରେ ଧକ୍କା ଖାଇ ଉପରେ ଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଜୁଳି ତାରରେ ବାଜିଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ପାଇଲଟ୍‌ଙ୍କ ତ୍ରୁଟି ଓ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ରାଜପଥ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ‌େହାଇଥିଲା।

ଜୁନ୍‌ ୧୨, ୨୦୨୫
୨୩୦ଜଣ ଯାତ୍ରୀ ଓ ୧୨ଜଣ କ୍ରୁ’ସଦସ୍ୟଙ୍କୁ ନେଇ ଲଣ୍ଡନ୍‌ର ଗାଟ୍‌ୱିକ୍‌ ଯାଉଥିବା ଏୟାର୍‌ ଇଣ୍ଡିଆ ଫ୍ଲାଇଟ୍‌ ୧୭୧ (ବୋଇଙ୍ଗ୍‌ ୭୮୭-୮ ଡ୍ରିମ୍‌ଲାଇନର୍‌ ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ଅଳ୍ପକ୍ଷଣ ମଧ୍ୟରେ ଗୋଟାଏ ଜନବସତି ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯିବାରୁ ମାତ୍ର ଜଣଙ୍କୁ ଛାଡ଼ି ସମସ୍ତଙ୍କର ମୃତ୍ୟୁ ଘଟିଥିଲା।

Comments are closed.