ସତ କହୁଛି: ଖୁସିର ମାପକାଠି କ’ଣ?

ଶ୍ୟାମସୁନ୍ଦର ଅଗ୍ରୱାଲା
ଖୁସିର କ’ଣ କିଛି ମାପକାଠି ଅଛି? ଖୁସି କ’ଣ କେଉଁ ଗଣିତ ହୋଇଛି ଯେ ଏହାକୁ ହିସାବ କରି ଶତକଡ଼ା କେତେ ହେଲା ବୋଲି ଜାଣିହେବ? ତେବେ କେମିତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିପାରିଲେ ଯେ ପୃଥିବୀରେ ଫିନଲାଣ୍ଡ ସବୁଠୁ ସୁଖୀ, ଆଫଗାନିସ୍ଥାନ ସବୁଠୁ ଦୁଃଖୀ, ଭାରତଠାରୁ ୟୁକ୍ରେନ ସୁଖୀ, ପାକିସ୍ଥାନଠାରୁ ଭାରତ ଦୁଃଖୀ ଓ ଆଶ୍ଚର୍ଯ୍ୟଜନକ ଭାବେ ନେପାଳ ଭଳି ଦେଶ ଉଭୟ ଭାରତ ଓ ପାକିସ୍ଥାନଠାରୁ ଅଧିକ ସୁଖୀ? ହଜାରେ ବାର ଶହ ଲୋକଙ୍କର ଦୈନିକ ଆୟ, ସାଧାରଣ ସ୍ୱାସ୍ଥ୍ୟ, ସ୍ୱାଧୀନତା ଓ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ କ’ଣ ଗୋଟେ ଦେଶର ଖୁସିର ମାପକାଠି? ଏହା ହୋଇ ନପାରେ, କାରଣ ଅନେକ ସମୟରେ ଲକ୍ଷ୍ୟ କରାଯାଇଥାଏ ଯେ ଏ ସବୁ ଭରପୂର ଥାଇ ମଧ୍ୟ ଜଣେ ଦୁଃଖୀ ଥାଏ ଅଥଚ ଏ ସବୁ ଅଳ୍ପ ଥାଇ ମଧ୍ୟ ଜଣେ ଖୁସି ହୋଇ ରହିଥାଏ। ଖୁସି ଏକ ରହସ୍ୟମୟ ମନୋଭାବ ଯାହାକୁ ମାପିବା ପାଇଁ ଏ ଯାଏ କୌଣସି ଯନ୍ତ୍ର ଉଦ୍ଭାବନ ହୋଇନାହିଁ। ତେଣୁ ସଦ୍ୟ ପ୍ରକାଶିତ ଏ ଭଳି ଖୁସିର ତାଲିକାକୁ ଆଉ ଯାହା କୁହାଯାଇପାରେ କିନ୍ତୁ ଖୁସିର ତାଲିକା ନୁହେଁ।
ଥରେ ଖୁସିର ଏକ ଚିତ୍ର ପ୍ରତିଯୋଗିତା ହେଉଥିଲା। ଦୁଇଟି ଚିତ୍ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ପ୍ରଥମ ଚିତ୍ରରେ ଏକ ହ୍ରଦ ଥିଲା ଶାନ୍ତ ଓ ନିଥର। ଏହାର ଜଳରାଶି ଏତେ ସ୍ଥିର ଥିଲା ଯେ ନିକଟରେ ଥିବା ପର୍ବତ ଓ ଆକାଶର ପ୍ରତିବିମ୍ବ ଦର୍ପଣ ଭଳି ଦିଶୁଥିଲା। ଉପରେ ନିର୍ମଳ ଆକାଶ ଓ ତଳେ ଗୋଟିଏ ଗଛରେ ଚଢ଼େଇଟିଏ ବସା କରି ତା’ ଛୁଆ ସହିତ ନିଘୋଡ଼ ନିଦରେ ଶୋଇଥିଲା। ଦ୍ୱିତୀୟ ଚିତ୍ରଟିରେ ଏକ ଆବଡ଼ାଖାବଡ଼ା ପର୍ବତ ଥିଲା। ଘଡ଼ଘଡ଼ି ଓ ଚଡ଼ଚଡ଼ି ସହ ଘୋର ବର୍ଷା ହେଉଥିଲା। ଉପରେ ଆକାଶ ଅତ୍ୟନ୍ତ ଭୟଙ୍କର ଦିଶୁଥିଲା ଓ ତଳେ ଗୋଟିଏ ଥୁଣ୍ଟା ଗଛରେ ଚଢ଼େଇଟି ବସା କରି ତା’ ଛୁଆ ସହିତ ନିଘୋଡ଼ ନିଦରେ ଶୋଇଥିଲା।
ବୁଦ୍ଧିମାନ ବିଚାରକମାନେ ଦ୍ୱିତୀୟ ଚିତ୍ରକୁ ପ୍ରଥମ ପୁରସ୍କାର ଦେଲେ, କାରଣ ପ୍ରବଳ ଘୋ’ଘା ଓ ଅଶାନ୍ତ ବାତାବରଣ ଭିତରେ ଯିଏ ନିଘୋଡ଼ ନିଦରେ ଶୋଇପାରୁଛି ସିଏ ହିଁ ପ୍ରକୃତରେ ଖୁସି। ଆପଣମାନେ ଜଣେ ଦୁଃଖୀ ରାଜାର କାହାଣୀ ଶୁଣିଥିବେ। ରାଜାଙ୍କର ହୀରା, ନୀଳା, ମୋତି, ମାଣିକର ଅଭାବ ନଥିଲା। ରାଣୀମାନେ ଦିବ୍ୟ ସୁନ୍ଦରୀ ଥିଲେ। ରାତିଦିନ ଗଣ୍ଡା ଗଣ୍ଡା ଚାକରବାକରଙ୍କ ସେବାରେ ଦିନ ବିତୁଥିଲା, କିନ୍ତୁ ରାଜା ଦୁଃଖୀ ଥିଲେ। ବୈଦ୍ୟ ମହାରାଜ କହିଲେ ଯେ ରାଜ୍ୟର ଯିଏ ସବୁଠୁ ସୁଖୀ ସିଏ ଯଦି ତା’ ସାର୍ଟଟି ଦିନକ ପାଇଁ ରାଜାଙ୍କୁ ପିନ୍ଧିବାକୁ ଦେଇଦିଅନ୍ତା ତେବେ ରାଜା ଖୁସି ହୋଇଯାନ୍ତେ। ଏମତି ଲୋକଟିକୁ ଖୋଜିବାକୁ ଡେଙ୍ଗୁରା ଦିଆଗଲା କିନ୍ତୁ ଜଣେ ବି ଏମିତି ସୁଖୀ ବ୍ୟକ୍ତିଟିଏ ମିଳିଲେ ନାହିଁ। ଶେଷକୁ ଗୋଟେ ଗାଇଆଳ ଟୋକା ଆସି ଦରବାରରେ କହିଲା, “ଆଜ୍ଞା, ମୁଁ ସବୁଠୁ ଖୁସି କିନ୍ତୁ କ’ଣ କରିବି ଆପଣଙ୍କୁ ଦେବାପାଇଁ ମୋ ପାଖରେ ଖଣ୍ଡିଏ ସାର୍ଟ ବି ନାହିଁ।” ବନ୍ଧୁଗଣ, ଥରେ ଭାବନ୍ତୁ ତ ଗାଇଆଳ ଟୋକାଟିର ଖଣ୍ଡେ ସାର୍ଟ ନାହିଁ କିନ୍ତୁ ସେ ସବୁଠୁ ସୁଖୀ, ଅଥଚ ରାଜା ସୁବର୍ଣ୍ଣ ଖଚିତ ରାଜ ପୋଷାକରେ ଆବୃତ ହୋଇ ମଧ୍ୟ ଦୁଃଖୀଟିଏ ହୋଇ ରହିଛନ୍ତି। ତେଣୁ ଖୁସି ରହିବା ପାଇଁ ମୁଣ୍ଡପିଛା ଦୈନିକ ଆୟ କିମ୍ବା ମୋଟ ଘରୋଇ ଉତ୍ପାଦ ଅଧିକ ରହିବାର କ’ଣ ଆବଶ୍ୟକତା ଅଛି?
ମନସ୍ତତ୍ତ୍ବବିତ୍ମାନେ କୁହନ୍ତି ଯେ ଖୁସି ହେଉଛି ଏକ ମନୋଭାବ ଯାହା କି ଆମ ଡି.ଏନ.ଏରେ ଥାଏ ଏବଂ ଏହା ମୁଖ୍ୟତଃ ଅନୁବଂଶିକ ହୋଇଥାଏ। କେତେ ଲୋକ ଅଳ୍ପକେ ସନ୍ତୁଷ୍ଟ ହୋଇଯାଇଥାନ୍ତି ତ କେତେ ଲୋକ ଯେତେ ଅଧିକ ମିଳିଲେ ବି ମୁହଁମାରି ବସିଥାନ୍ତି। ଜଣେ ଇଂଜିନିଅର ହେବାକୁ ଚାହୁଁଛି କିନ୍ତୁ ହୋଇଗଲା ପରେ ବି ଖୁସି ନୁହେଁ। ଜଣେ ଡାକ୍ତର ହେବାକୁ ଚାହୁଁଛି କିନ୍ତୁ ହୋଇଗଲା ପରେ ମଧ୍ୟ ଖୁସି ନୁହେଁ। ଦିନକୁ ଦିନ ତା’ର ଖୁସିର ମାଇଲଖୁଣ୍ଟ ଘୁଞ୍ଚି ଘୁଞ୍ଚି ଯାଉଛି ଏବଂ ସବୁ ଥାଇ ବି ସେ ଦୁଃଖୀଟିଏ ହୋଇ ବଞ୍ଚୁଛି ଅଥଚ ଅନ୍ୟ ଜଣେ ଯାହାର ରକ୍ତରେ ଖୁସିର ହରମୋନ ପ୍ରବାହିତ ହେଉଛି ସେ କିଛି ନଥାଇ ମଧ୍ୟ ଖୁସିରେ ଖୁସିରେ ରହୁଛି। ଏହି ଭଳି ପରିସ୍ଥିତିରେ ଆପଣ ଖୁସିକୁ ମାପିବେ କିପରି?
ବିଶ୍ୱବିଜୟୀ ଆଲେକଜାଣ୍ଡର ଯେତେବେଳେ ଧ୍ୟାନମଗ୍ନ ଡାଇଜେନିସଙ୍କ ସାମ୍ନାରେ ଛିଡ଼ା ହୋଇ “ତୁମେ କ’ଣ ଚାହୁଁଛ, ମୁଁ ତୁରନ୍ତ ତୁମ ଇଚ୍ଛା ପୂର୍ଣ୍ଣ କରିପାରେ” ବୋଲି ପଚାରିଲେ ଡାଇଜେନିସ୍ ଉତ୍ତର ଦେଇଥିଲେ, “ଆଜ୍ଞା, ମୁଁ ଚାହୁଁଛି ଆପଣ ଟିକେ ଆଡ଼େଇ ହୋଇ ଛିଡ଼ା ହେଲେ ମୁଁ ସକାଳର ସୂର୍ଯ୍ୟକିରଣ ପାଇପାରନ୍ତି।” ଯେଉଁଠି ସାମାନ୍ୟ ସୂର୍ଯ୍ୟକିରଣ ଜୀବନରେ ସବୁଠୁ ଅଧିକ ଖୁସି ଦେଇପାରୁଛି ସେଇଠି ଆପଣ ଦୈନିକ ଆୟ ଓ ଘରୋଇ ଉତ୍ପାଦକୁ ନେଇ ଖୁସି ମାପିବା ମୂର୍ଖାମି ହେବ। ଖୁସିର ମାପକାଠିରେ ଗ୍ରିସ୍ ରାଜ୍ୟର ଆଲେକଜାଣ୍ଡର ସବୁଠୁ ଅଧିକ ସୁଖୀ ହେବା କଥା କିନ୍ତୁ ପ୍ରଶ୍ନ ଉଠେ କିଏ ଅଧିକ ଖୁସି? ବିଶ୍ୱବିଜୟୀ ଆଲେକଜାଣ୍ଡର ନା ଦାର୍ଶନିକ ଡାଇଜେନିସ?”
ଶ୍ରେଣୀରେ ଶିକ୍ଷକ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ କ’ଣ ହେବାକୁ ଚାହୁଁଛ ବୋଲି ମାତ୍ର ଗୋଟିଏ ଧାଡ଼ିରେ ଲେଖିବାକୁ କହିଲେ। କିଏ ଲେଖିଲା “ମୁଁ ଡାକ୍ତର ହେବାକୁ ଚାହୁଁଛି” ତ କିଏ ଲେଖିଲା “ମୁଁ ଇଂଜିନିଅର ହେବାକୁ ଚାହୁଁଛି”, କିଏ ଲେଖିଲା “ମୁଁ ପ୍ରଫେସର ହେବାକୁ ଚାହୁଁଛି” ତ କିଏ ଲେଖିଲା “ମୁଁ ଓକିଲ ହେବାକୁ ଚାହୁଁଛି।” ଗୋଟିଏ ପିଲା ଲେଖିଲା, “ମୁଁ ଖୁସି ହେବାକୁ ଚାହୁଁଛି।” ଶିକ୍ଷକ ତାହାର ଏ ଭଳି ଉତ୍ତର ଦେଖି ପଚାରିଲେ “ବୋଧହୁଏ ତୁମେ ମୋ ପ୍ରଶ୍ନ ବୁଝିପାରିଲ ନାହିଁ।” ଛାତ୍ରଟି କହିଲା “ମହାଶୟ, ମୁଁ ଆପଣଙ୍କ ପ୍ରଶ୍ନ ବୁଝିପାରିଲି କିନ୍ତୁ ଆପଣ ବୋଧହୁଏ ମୋ ଉତ୍ତର ବୁଝିପାରିଲେ ନାହିଁ।” ଉପରୋକ୍ତ ଶିକ୍ଷକଙ୍କ ଭଳି ବୋଧହୁଏ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଖୁସିର ଅର୍ଥ କ’ଣ ବୁଝିପାରିନାହାନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭