Jai Odisha
News

ତୀର୍ଥଯାତ୍ରା

ଜନସଂଘର ମୁଖ୍ୟ ଦୀନ ଦୟାଲ ଉପାଧ୍ୟାୟଙ୍କ ଉଦ୍ଦେଶ୍ୟରେ ଜଣେ ସ୍ବୟଂସେବକଙ୍କର ଏକ ପ୍ରଶ୍ନ ଥିଲା ଯେ ରାଜନୀତିରେ ପ୍ରବେଶ କଲା ପରେ ଯଦି ଅଖଣ୍ଡ କ୍ଷମତା ଦଳକୁ ଦୁର୍ନୀତିଗ୍ରସ୍ତ କରିଦିଏ, ତେବେ? ଉତ୍ତରରେ ଦୀନ ଦୟାଲ କହିଥି‌େଲ, ‘ସେଭଳି ସ୍ଥିତିରେ ସେହି ରାଜନୈତିକ ଦଳକୁ ସଂଘ ବିନଷ୍ଟ କରିନେବ।’ ସୁତରାଂ, ରାଜନୈତିକ ଦଳଟି ସଂଘର ଅଧସ୍ତନ ହୋଇ ରହିବ ଏବଂ ସଂଘର ପ୍ରାଧାନ୍ୟ ସର୍ବଦା ଅକ୍ଷୁଣ୍ଣ ରହିବ। ତେଣୁ, ଯଦିଓ ଇତିମଧ୍ୟରେ ଜନସଂଘ ‘ଭାରତୀୟ ଜନତା ପାର୍ଟି’ ବା ‘ବିଜେପି’ରେ ପରିଣତ ହୋଇ ଅଚିନ୍ତନୀୟ ଭାବେ କ୍ଷମତାଶାଳୀ ହୋଇଛି, ଏ ଯାବତ୍‌ ଦୀନ ଦୟାଲଙ୍କ ଉକ୍ତି ପଛରେ ଥିବା ସତ୍ୟତା ବଳବତ୍ତର ରହିଛି ଯେ ସଂଘ ହେଉଛି ମୂଳାଧାର, ବିଜେପି ଉପରେ ସଂଘର ପ୍ରଭାବ ଏବେ ସୁଦ୍ଧା ଦୃଢ଼।

ସଂପ୍ରତି ଯେଉଁ ଏକ ଘଟଣା ଚର୍ଚ୍ଚାର କେନ୍ଦ୍ରରେ, ତାହା ହେଲା ‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ ବା ‘ଆର.ଏସ.ଏସ.’ର ନାଗପୁରସ୍ଥ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି। ପ୍ରକାଶ ଥାଉ କି ଏହାକୁ ନେଇ ବିଭିନ୍ନ ଆକଳନ, ନିଷ୍କର୍ଷ ଓ ଅନୁମାନ ଆଦି ଘୂରି ବୁଲି ପରିବେଶକୁ ସାନ୍ଦ୍ର କରି ପକାଇଛି, ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
‘ଆର.ଏସ.ଏସ.’ ଓ ବିଜେପି ମଧ୍ୟରେ ଥିବା ସଂପର୍କ ସାମନ୍ୟ ବନ୍ଧୁର ପଥ ଦେଇ ଗତି କରୁଥିବାରୁ ତାକୁ ସୁଧାରିବା ଦିଗରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ପ୍ରୟାସ ବୋଲି କୁହାଯାଉଛି। ପ୍ରକାଶ ଥାଉ କି ସଂଘର ଜଣେ ପ୍ରଚାରକ ଭାବେ ନିଜ ସାର୍ବଜନୀନ ଜୀବନ ପ୍ରାରମ୍ଭ କରିଥିବା ନରେନ୍ଦ୍ର ମୋଦୀ, ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ବିପୁଳ ଲୋକପ୍ରିୟତା ଏବଂ ସେହି କ୍ରମରେ ଦଳର ‘ଏକକ ନାୟକ’ ଭାବେ ତାଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ସ୍ତୁତି ଗା‌ନର ପ୍ରାବଲ୍ୟ ସ୍ବାଭାବିକ ଭାବେ ‘ଆର.ଏସ.ଏସ.’ର ଚିନ୍ତକମାନଙ୍କ ପସନ୍ଦଯୋଗ୍ୟ ହୋଇ ନ ଥିବ, କାରଣ ସଂଘ ଆଦର୍ଶଗତ ଭାବେ ‘ବ୍ୟକ୍ତି ବନ୍ଦନା’କୁ ପ୍ରଶ୍ରୟ ଦେଇ ନ ଥାଏ। ଗଲା ବର୍ଷ ଅର୍ଥାତ୍‌ ୨୦୨୪ ମସିହାର ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ଉଚ୍ଚାରଣ ନ କରି ‘ଆର.ଏସ.ଏସ.’ର ମୁଖ୍ୟ ବା ସରସଂଘ ଚାଳକ ମୋହନ ଭାଗବତ ତିର୍ଯ୍ୟକ୍‌ ଭାବେ ଏକାଧିକ ବାର ନେତୃତ୍ବର ଆଟୋପ ଏବଂ ନିର୍ବାଚନ ପ୍ରଚାର କାଳରେ ‘ଶୀଳତା’ର ଅଭାବ ଇତ୍ୟାଦିକୁ ନେଇ ପ୍ରକାଶ୍ୟରେ କରିଥିବା ସମାଲୋଚନାରୁ ଏହି ମନୋଭାବ ସ୍ପଷ୍ଟ ହୋଇଥାଏ। କହିବା ବାହୁଲ୍ୟ, ‘ମୋଦୀଙ୍କ ଗ୍ୟାରେଣ୍ଟି’ ବା ‘ଅବକୀ ବାର ଚାରଶୋ ପାର’ ଭଳି ଉଚ୍ଚାଟରେ ‘ବ୍ୟକ୍ତି ବନ୍ଦନା’ ଏବଂ ‘ଆଟୋପ’ ଦିଶିଥାଏ। କେବଳ ସେତିକି ନୁହେଁ, ଏହି ପରିପ୍ରେକ୍ଷୀରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍‌ଡାଙ୍କ ଏକ ମନ୍ତବ୍ୟ ଯେ ‘ଏବେ ବିଜେପି ସ୍ବୟଂ ସମର୍ଥ ଏବଂ ତାକୁ କୌଣସି ବାହ୍ୟ ସାହାଯ୍ୟ ଲୋଡ଼ା ନାହିଁ’ ଦ୍ବାରା ‘ଆର.ଏସ.ଏସ.’ ଗଭୀର ଭାବେ ଆହତ ମଧ୍ୟ ହୋଇଥିଲା। ଗଲା ନିର୍ବାଚନରେ ସମର୍ଥନର ବିଶାଳ ତରଙ୍ଗ ଚଢ଼ି ୪୦୦ରୁ ଅଧିକ ଆସନ ସହିତ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ବିଜେପିର ଦୃଢ଼ ଆଶା ଚୂର୍ଣ୍ଣ ହୋଇ ନ ଗଲା ପର୍ଯ୍ୟନ୍ତ ଦଳ କଳନା କରି ପାରି ନ ଥିଲା ଯେ ନିର୍ବାଚନ ପ୍ରଚାରରୁ ‘ଆର.ଏସ.ଏସ.’ର ନିବୃତ୍ତି ଏଭଳି ନୈରାଶ୍ୟଜନକ ପରିଣାମ ସୃଷ୍ଟି କରିପାରେ! କେବଳ ସେତିକି ନୁହେଁ, ‘ଆର.ଏସ.ଏସ.’ର ପଥିକୃତ୍‌ ଉଦ୍ୟମ ବିଜେପିକୁ କିଭଳି ଲାଭ ପହଞ୍ଚାଇପାରେ, ତାହା ମଧ୍ୟ ପ୍ରମାଣିତ ହୋଇଥିଲା ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ନିର୍ବାଚନରେ ବିଜେପିର ବିପୁଳ ବିଜୟରୁ, ଯହିଁରେ ପୂର୍ବର ମାନ-ଅଭିମାନକୁ ଭୁଲି ସଂଘ ପୁଣି ଥରେ ନିର୍ବାଚନ ପ୍ରଚାରରେ ଅବତୀର୍ଣ୍ଣ ହୋଇଥିଲା। କହିବା ନିଷ୍ପ୍ରୟୋଜନ ଯେ ଏହା ପରେ ‘ଆର.ଏସ.ଏସ.’ ଓ ବିଜେପି ମଧ୍ୟରେ ସୃଷ୍ଟ ଫାଟକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ତତ୍ପର ହୋଇଥିବେ, ଯାହାର ପ୍ରମାଣ ମିଳେ ଲେକ୍‌ସ ଫ୍ରିଡମାନଙ୍କୁ ସେ ପ୍ରଦାନ କରିଥିବା ଏକ ସାକ୍ଷାତକାରରୁ, ଯହିଁରେ ସେ ତାଙ୍କ ଜୀବନର ଉଦ୍ଦେଶ୍ୟ ଓ ସେବା ମନୋଭାବ ପ୍ରଦାନ କରିଥିବାରୁ ‘ଆର.ଏସ.ଏସ.’କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେହି ଦୃଷ୍ଟିରୁ ଅନେକ ପର୍ଯ୍ୟବେକ୍ଷକ ପ୍ରଧାମମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ପଶ୍ଚାତ୍ତାପର ଯାତ୍ରା ବୋଲି ମଧ୍ୟ ଅଭିହିତ କରିଥାଆନ୍ତି।
ଉଲ୍ଲେଖଯୋଗ୍ୟ ଯେ ୧୯୨୫ ମସିହାରେ ଏହାର ଗଠନ ପରଠାରୁ ‘ରାଷ୍ଟ୍ରୀୟ ସ୍ବୟଂ‌େସବକ ସଂଘ’ ସମର୍ପିତ ସେବା ଭାବ ଓ ତା’ ମାଧ୍ୟମରେ ହିନ୍ଦୁ ଚେତନାର ସ୍ଫୂରଣ ଭଳି କାର୍ଯ୍ୟରେ ବ୍ରତୀ ରହି ଆସିଥିଲା। କେଶବ ବଳିରାମ ହେଡଗେୱାରଙ୍କ ଦ୍ବାରା ଗଠିତ ଏହି ସଂଗଠନ ରାଜନୈତିକ ଅଭିଳାଷକୁ ଆଦୌ ପ୍ରଶ୍ରୟ ନ ଦେଇ ଅନେକ ବ୍ୟକ୍ତିଙ୍କ ନାପସନ୍ଦର ପାତ୍ର ମଧ୍ୟ ହୋଇଥିଲା। ପ୍ରକାଶ ଥାଉ କି ସଂଘର ଏତାଦୃଶ ଆଦର୍ଶରେ ବିରକ୍ତ ହୋଇ ବୀର ସବରକର ଭାରତୀୟ ରାଷ୍ଟ୍ର ସଂଘ ନାମକ ଏକ ସଂଗଠନ ଗଢ଼ିଥିଲେ। ‘ହିନ୍ଦୁ ମହାସଭା’ରେ ‘ଆର.ଏସ.ଏସ.’ ତୁଲ୍ୟ ଏକ ଶାଖା ଗଠିତ ହୋଇଥିଲା, ଯାହାର ନାମ ଥିଲା ରାମ ସେନା‌। ଏହି ସଂଗଠନ ଦ୍ବୟ ସକାଶେ ରାଜନୀତି ଅସ୍ପୃଶ୍ୟ ନ ଥିଲା, ଯଦିଓ ସେଗୁଡ଼ିକର ଅକାଳ ବିଲୟ ଘଟିଲା। ୧୯୩୨ ମସିହାରେ ନାଥୁରାମ ଗଡ଼ସେ ମଧ୍ୟ ଏହି କାରଣରୁ ସଂଘ ପରିତ୍ୟାଗ କରିଥିଲେ। ଏବେ ସୁଦ୍ଧା ସଂଘର ମୁଖ୍ୟ ମୋହନ ଭାଗବତ କହିଥାଆନ୍ତି ଯେ ‘ଆର.ଏସ.ଏସ.’ର କୌଣସି ରାଜନୈତିକ ମହତ୍ତ୍ବାକାଂକ୍ଷା ନାହିଁ, ଏହାର ଲକ୍ଷ୍ୟ ହେଉଛି ଜନ ମତ ତିଆରି କରିବା। ଅବିଶ୍ବସନୀୟ ଭଳି ମନେ ହେଉଥିଲେ ହେଁ ଏହା ସତ ଯେ ୧୯୬୨ ମସିହାର ଚୀନ ଯୁଦ୍ଧ କାଳରେ ସଂଘର ସଦସ୍ୟମାନଙ୍କ ସମର୍ପିତ ସେବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ କୃତଜ୍ଞତା ଜ୍ଞାପନ ପୂର୍ବକ ସେ ୧୯୬୪ ମସିହାର ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିବା ଲାଗି ଏକ ଦଳ ପଠାଇବାକୁ ‘ଆର.ଏସ.ଏସ.’କୁ ଅନୁରୋଧ କରିଥିଲେ। ସେମିତି ୧୯୬୫ ମସିହାରେ ପାକିସ୍ତାନ ସହିତ ଯୁଦ୍ଧ ସୁନିଶ୍ଚିତ ବୋଲି ଜାଣି ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ମଧ୍ୟ ‘ଆର.ଏସ.ଏସ.’ର ସହଯୋଗ କାମନା କରିଥିଲେ। ଏଭଳି ଏକ ଦୃଶ୍ୟପଟ‌େର ୧୯୫୧ ମସିହାରେ ଆର.ଏସ.ଏସ.’ର ମୁଖ୍ୟ ଗୋଲୱାଲକରଙ୍କ ସହଯୋଗରେ ଯେତେବେଳେ ଶ୍ୟାମା ପ୍ରସାଦ ମୁଖା‌ର୍ଜୀଙ୍କ ଦ୍ବାରା ରାଜନୈତିକ ଦଳ ‘ଭାରତୀୟ ଜନସଂଘ’ର ପ୍ରତିଷ୍ଠା କରାଗଲା, ତାହା ସେ ସମୟର ଅନେକ ସଂଘୀଙ୍କ ଲାଗି ଅସ୍ବସ୍ତିର କାରଣ ମଧ୍ୟ ହୋଇଥିବ, ଯାହାର ପ୍ରମାଣ ମିଳିଥାଏ କର୍ଣ୍ଣାଟକର ଜନୈକ ସଂଘ କାର୍ଯ୍ୟକର୍ତ୍ତା ମୁକୁନ୍ଦଙ୍କ ଏକ ଲେଖାରେ, ଯହିଁରେ ବର୍ଣ୍ଣିତ ଅଛି କିଭଳି ଜନସଂଘର ମୁଖ୍ୟ ଦୀନ ଦୟାଲ ଉପାଧ୍ୟାୟଙ୍କ ଉଦ୍ଦେଶ୍ୟରେ ଜଣେ ସ୍ବୟଂସେବକଙ୍କର ଏକ ପ୍ରଶ୍ନ ଥିଲା ଯେ ରାଜନୀତିରେ ପ୍ରବେଶ କଲା ପରେ ଯଦି ଅଖଣ୍ଡ କ୍ଷମତା ଦଳକୁ ଦୁର୍ନୀତିଗ୍ରସ୍ତ କରିଦିଏ, ତେବେ? ଉତ୍ତରରେ ଦୀନ ଦୟାଲ କହିଥି‌େଲ, ‘ସେଭଳି ସ୍ଥିତିରେ ସେହି ରାଜନୈତିକ ଦଳକୁ ସଂଘ ବିନଷ୍ଟ କରିନେବ।’ ସୁତରାଂ, ରାଜନୈତିକ ଦଳଟି ସଂଘର ଅଧସ୍ତନ ହୋଇ ରହିବ ଏବଂ ସଂଘର ପ୍ରାଧାନ୍ୟ ସର୍ବଦା ଅକ୍ଷୁଣ୍ଣ ରହିବ। ତେଣୁ, ଯଦିଓ ଇତିମଧ୍ୟରେ ଜନସଂଘ ‘ଭାରତୀୟ ଜନତା ପାର୍ଟି’ ବା ‘ବିଜେପି’ରେ ପରିଣତ ହୋଇ ଅଚିନ୍ତନୀୟ ଭାବେ କ୍ଷମତାଶାଳୀ ହୋଇଛି, ଏ ଯାବତ୍‌ ଦୀନ ଦୟାଲଙ୍କ ଉକ୍ତି ପଛରେ ଥିବା ସତ୍ୟତା ବଳବତ୍ତର ରହିଛି ଯେ ସଂଘ ହେଉଛି ମୂଳାଧାର, ବିଜେପି ଉପରେ ସଂଘର ପ୍ରଭାବ ଏବେ ସୁଦ୍ଧା ଦୃଢ଼।
ଉଲ୍ଲେଖଯୋଗ୍ୟ ଯେ ଉଭୟ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ‘ଆର.ଏସ.ଏସ.’ର ମୁଖ୍ୟ ଦପ୍ତରକୁ ଗସ୍ତ କାର୍ଯ୍ୟକ୍ରମ ‌େସତିକି ବେଳେ ହୋଇଛି, ଯେତେବେଳେ ସଂଘ ପକ୍ଷରୁ ସେମାନଙ୍କ ପ୍ରତି ଅସନ୍ତୋଷ ଭାବ ପ୍ରକାଶ ପାଇଛି। ଅଟଳ ବିହାରୀ ବାଜପେୟୀ ମଧ୍ୟ ସଂଘର ସୃଷ୍ଟି, ଯାହାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ କେତେକ ପଦକ୍ଷେପ ସଂଘର ପସନ୍ଦଯୋଗ୍ୟ ହୋଇ ନ ଥିଲା। ରାଜନୈତିକ ଦୃଷ୍ଟିରୁ ସଂପ୍ରତି ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଦୃଢ଼ ହୋଇଥିଲେ ହେଁ ‘ଆର.ଏସ.ଏସ.’କୁ ଅସନ୍ତୁଷ୍ଟ କରି ଅନୁତାପ ନ କରିବାରେ ସମର୍ଥ ହୋଇ ନାହାନ୍ତି। ଅବଶ୍ୟ ଏହା ସତ ଯେ ସଂପ୍ରତି ବିଜେପିରେ ଏଭଳି ଅନେକ ନେତାଙ୍କ ଆବିର୍ଭାବ ଘଟିଲାଣି ଯେଉଁମାନଙ୍କ ମୂଳ ଆର.ଏସ.ଏସ.ରେ ନାହିଁ। ସେମା‌ନଙ୍କ ମଧ୍ୟରୁ ଯଦି କେହି ଭବିଷ୍ୟତ୍‌ରେ ଦଳର ନେତୃତ୍ବ ନିଅନ୍ତି, ତେବେ ‘ଆର.ଏସ.ଏସ.’ର ପ୍ରଭାବ କିଭଳି ରହିବ, ତାହା ଅନିଶ୍ଚିତ। କିନ୍ତୁ ଯେ ପର୍ଯ୍ୟନ୍ତ ବିଜେପି ନେତୃତ୍ବର ନାଭିରେ ସଂଘର ଗର୍ଭରୁ ଜାତ ହୋଇଥିବାର ଚିହ୍ନ ସ୍ପଷ୍ଟ, ସେ ପର୍ଯ୍ୟନ୍ତ ସଂଘର ପ୍ରଭାବ ବଳବତ୍ତର ରହିବ। ନାଗପୁରସ୍ଥ ସଂଘର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ ଯେ ‘ଜଣେ ପ୍ରଧାନମନ୍ତ୍ରୀ ରୂପେ ନୁହେଁ, ବରଂ ସଂଘର ଜଣେ କର୍ମୀ ଭାବେ ସେ ସେଠାକୁ ଆସିଛନ୍ତି’ରୁ ଅନେକ ପର୍ଯ୍ୟବେକ୍ଷକ ପଶ୍ଚାତ୍ତାପର ଆଭାସ ପାଆନ୍ତି, ଯେଉଁ କାରଣରୁ ଏହାକୁ ଏକ ତୀର୍ଥଯାତ୍ରା ବୋଲି ଅଭିହିତ ମଧ୍ୟ କରନ୍ତି।