ପ୍ରତି ପରିବାରକୁ ମାସିକ ୧୨୫ ୟୁନିଟ ମାଗଣା ବିଜୁଳି –

ପାଟନା: ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଅଗଷ୍ଟ ୧ରୁ ପ୍ରତ୍ୟେକ ପରିବାରକୁ ମାସିକ ୧୨୫ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ ବୋଲି ନୀତୀଶ ପ୍ରତିଶ୍ରୁତି ଦେଇଛନ୍ତି। ଅର୍ଥାତ୍ ଜୁଲାଇ ବିଲ୍ରେ ଉପଭୋକ୍ତା ଏହି ସୁବିଧା ପାଇବେ ବୋଲି ଜଣାପଡିଛି।
ନୀତୀଶ କହିଛନ୍ତି ଯେ ତାଙ୍କ ସରକାର ସୁଲଭ ମୂଲ୍ୟରେ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଉଛନ୍ତି। ତେବେ ଉପଭୋକ୍ତାଙ୍କ ବିଜୁଳି ବୋଝ ଆହୁରି ହାଲୁକା କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୧୬.୭ ନିୟୁତ ପରିବାର ଉପକୃତ ହେବାକୁ ଯାଉଛନ୍ତି। ଯଦି ଆଗାମୀ ନିର୍ବାଚନରେ ଦଳ ପୁଣି କ୍ଷମତାକୁ ଫେରିବ, ତେବେ ତିନି ବର୍ଷ ମଧ୍ୟରେ କୁଟୀର ଜ୍ୟୋତି ଯୋଜନା ଅନୁଯାୟୀ ଏହି ଉପଭୋକ୍ତାଙ୍କ ମଧ୍ୟରୁ ଅତ୍ୟଧିକ ଗରିବ ଲୋକଙ୍କ ଘର ଛାତ ଉପରେ ସୌରଶକ୍ତି ଚାଳିତ ବ୍ୟବସ୍ଥା (ସୋଲାର ପାୱାର ପ୍ଲାଣ୍ଟ) ସ୍ଥାପନ କରାଯିବ ବୋଲି ମଧ୍ୟ ନୀତୀଶ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୦ରେ ନୀତୀଶଙ୍କ ନେତୃତ୍ବାଧୀନ ଜେଡିୟୁ ସରକାର କ୍ଷମତାକୁ ଆସିବା ସମୟରେ ରାଜ୍ୟରେ ୭୫୦ ମେଗାୱାଟ ବିଜୁଳିଶକ୍ତି ଉତ୍ପାଦିତ ହେଉଥିଲା। ଫଳରେ ଗ୍ରାମାଞ୍ଚଳରେ ଲୋକେ ଅଧିକାଂଶ ସମୟ ଅନ୍ଧାରରେ ରହୁଥିବାବେଳେ ସହରାଞ୍ଚଳର ଲୋକେ ଦିନକୁ ୭/୮ ଘଣ୍ଟା ବିଜୁଳି ସୁବିଧା ପାଉଥିଲେ। ବର୍ତ୍ତମାନ ବିହାରରେ ୮୫୦୦ ମେଗାୱାଟ ବିଜୁଳିଶକ୍ତି ଉତ୍ପାଦିତ ହେଉଥିବାରୁ ଏହି ଅବସ୍ଥାରେ ଯଥେଷ୍ଟ ସୁଧାର ଆସିଛି।
Comments are closed.