Jai Odisha
News

ସମସ୍ତଙ୍କ ପାଇଁ ବିଦ୍ୟୁତ ଅଧିକାର –

ଉନ୍ନତ ଦେଶଗୁଡ଼ିକ ବିଦ୍ୟୁତ୍‌‌କୁ ସାମାଜିକ ଅଧିକାର ରୂପରେ ମାନ୍ୟତା ଦେଇଥିଲାବେଳେ ଆମ ଦେଶରେ ବିଦ୍ୟୁତ୍‌‌ ପରି ଏକ ଜନକଲ୍ୟାଣକାରୀ ଶିଳ୍ପ ମୁନାଫାର ପଣ୍ୟ ହୋଇଉଠିଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାର ଆତ୍ମନିର୍ଭରଶୀଳତା ନାମରେ ହାତଗଣତି କେଇଜଣ କର୍ପୋରେଟ୍‌ ମାଲିକଙ୍କ ପାଖରେ ଆତ୍ମସମର୍ପଣ କରିଥିବା ମନେହେଉଛି। ଦେଶର ଜନଗଣଙ୍କ ଟିକସ ଟଙ୍କାରେ ଗଢ଼ିଉଠିଥିବା ରାଷ୍ଟ୍ରାୟତ୍ତ ଶିଳ୍ପଗୁଡ଼ିକୁ ମୁନାଫା ଲୁଟ୍‌‌ର ଏହି ସରକାର ବଜାର ପଣ୍ୟ କରି ସଜାଇଛି।

୧୯୪୮ର ବିଦ୍ୟୁତ୍‌‌ ଆଇନ ମଧ୍ୟଦେଇ ସ୍ୱାଧୀନୋତ୍ତର ଭାରତରେ ଉନ୍ନତ ସେଚ ବ୍ୟବସ୍ଥା ଗଢ଼ିଉଠିଥିଲା। ଫଳ ସ୍ୱରୂପ ଦେଶ କୃଷି କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିଥିଲା। ସାମାଜିକ-ଅର୍ଥନୈତିକ ଉନ୍ନୟନର ପ୍ରଶ୍ନରେ ୧୯୪୮ର ଏହି ବିଦ୍ୟୁତ୍‌‌ ଆଇନର ଭୂମିକା ଥିଲା ପ୍ରଶ୍ନାତୀତ। ୧୯୯୧ରେ ଦେଶକୁ ଆସିଲା ଉଦାରବାଦୀ ଅର୍ଥନୀତି, ଯାହାର ପ୍ରଭାବ ବିଦ୍ୟୁତ୍‌‌ କ୍ଷେତ୍ରରେ ମଧ୍ୟ ପଡ଼ିଥିଲା। ଏହି ଉଦାରନୀତି ଓ ସଂସ୍କାର ନାମରେ ମହାରାଷ୍ଟ୍ରର ଡାଭଲ ଆମେରିକାନ କମ୍ପାନୀ ଏନରନ ହାତକୁ ବିଦ୍ୟୁତ୍‌‌ ଉତ୍ପାଦନ ଏବଂ ଓଡ଼ିଶାରେ ରାଜ୍ୟ ବିଦ୍ୟୁତ୍‌‌ ବଣ୍ଟନକୁ ଏଇଏସ କମ୍ପାନୀ ହାତକୁ ଦେଇଦିଆଗଲା। ୧୯୯୯ରେ ମହାବାତ୍ୟା ଯୋଗୁଁ ଓଡ଼ିଶାର ବିଦ୍ୟୁତ୍‌‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ବ୍ୟକ୍ତିଗତ ମାଲିକାନାରେ ଥିବା ଏହି ସଂସ୍ଥା ଭାଙ୍ଗିପଡ଼ିଥିବା ବିଦ୍ୟୁତ୍‌‌ ବ୍ୟବସ୍ଥାର ପୁନର୍ଗଠନକୁ ଅସ୍ୱୀକାର କରିବାରୁ ସେତେବେଳର ରାଜ୍ୟ ସରକାର ବିପର୍ଯ୍ୟସ୍ତ ବିଦ୍ୟୁତ୍‌‌ ବ୍ୟବସ୍ଥାକୁ ପୁନର୍ଗଠନରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ।

ରାଷ୍ଟ୍ରାୟତ୍ତ ବିଦ୍ୟୁତ୍‌‌ ଶିଳ୍ପକୁ ବେସରକାରୀ ହାତରେ ଦେଇଦେବାର ପ୍ରଚେଷ୍ଟା ୨୦୦୦ରେ ପ୍ରଥମ ଏନଡିଏ ସରକାର ସମୟରେ ହୋଇଥିଲା। ଏନଡିଏ-୧ ସରକାର ଦେଶର ବିଦ୍ୟୁତ୍‌‌ ପର୍ଷଦଗୁଡ଼ିକର ପାଞ୍ଚଦଶକରେ ପୁଞ୍ଜିଭୂତ ୨୬୦୦୦ କୋଟି ଟଙ୍କାର ଆର୍ଥିକ ଦାୟ ଆଳରେ ୧୯୪୮ର ବିଦ୍ୟୁତ୍‌‌ ଆଇନକୁ ବାତିଲ କରି ଜନବିରୋଧୀ ବିଦ୍ୟୁତ୍‌‌ ଆଇନ ୨୦୦୩ରେ ଚାଲୁ କରିଥିଲା। ସେହି ଆଇନର ମୂଳ ଉଦ୍ଦେଶ୍ୟ ଥିଲା ବିଦ୍ୟୁତ୍‌‌ ବ୍ୟବସ୍ଥାରୁ ସରକାରକୁ ଦୂରେଇ ରଖିବା ଏବଂ ବେସରକାରୀ ସଂସ୍ଥାର ଅନୁପ୍ରବେଶର ପଥ ଖୋଲିଦେବ ଏବଂ ଏକା ସାଙ୍ଗରେ ବିଦ୍ୟୁତ୍‌‌ର ମାହାସୁଲରେ ପାରସ୍ପରିକ ସବସିଡି ବା ଅନୁଦାନ ଉଠାଇଦେବାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରିବା। ଏହାଛଡ଼ା ଗ୍ରାମାଞ୍ଚଳରେ ବିଦ୍ୟୁତ୍‌‌ର ଭିତ୍ତିଭୂମି ଅଥବା ଗ୍ରାମୀଣ ବୈଦ୍ୟୁତିକୀକରଣର ଦାୟିତ୍ୱ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଓହରି ଯିବା ପାଇଁ ଏହି ଆଇନର ବ୍ୟବସ୍ଥା କରାଯାଇଥିଲା।

ପ୍ରଥମ ୟୁପିଏ ସରକାର ସମୟରେ ବାମପନ୍ଥୀ ସାଂସଦଙ୍କ ଚାପ ଓ ସଙ୍ଗଠିତ ଆନ୍ଦୋଳନ ଯୋଗୁଁ କଂଗ୍ରେସ ନେତୃତ୍ୱାଧୀନ ସରକାର ବିଜେପି ସରକାର ସମୟରେ ହୋଇଥିବା ବିଦ୍ୟୁତ୍‌‌ ଆଇନର ଦୁଇଟି ଜନସ୍ୱାର୍ଥ ବିରୋଧୀ ଧାରାକୁ ଉଠାଇ ଦେଇଥିଲେ। ଫଳରେ ଏବେ ପାରସ୍ପରିକ ଅନୁଦାନ ଏବଂ ଗ୍ରାମୀଣ ବୈଦ୍ୟୁତିକୀକରଣର ଦାୟିତ୍ୱ ସରକାରଙ୍କ ଉପରେ ରହିଛି ଏବଂ ଗରିବ ଲୋକଙ୍କର ସୁଲଭ ମୂଲ୍ୟରେ ବିଦ୍ୟୁତ୍‌‌ ବ୍ୟବହାର ଅଧିକାର ଅଛି।

୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ଆସିବା ପରେ ବିଦ୍ୟୁତ୍‌‌ (ସଂଶୋଧନ) ବିଲ୍‌‌-୨୦୧୪ ସଂସଦରେ ଉପସ୍ଥାପନ କରିଥିଲା। ବିଦ୍ୟୁତ୍‌‌ କର୍ମୀଙ୍କ ସମ୍ମିଳିତ ପ୍ରତିବାଦ ଯୋଗୁଁ ସାମୟିକ ଭାବେ ପଛକୁ ହଟିଥିଲେ ମଧ୍ୟ ପରବର୍ତ୍ତୀ ବର୍ଷଗୁଡ଼ିକରେ ପୁନରାୟ ବିଲ୍‌‌ ଗୃହୀତ କରିବା ପାଇଁ ଅଦମ୍ୟ ଉଦ୍ୟମ ସରକାର ଚଳାଇଥିଲେ। ଏପରିକି ବିଦ୍ୟୁତ୍‌‌ ବଣ୍ଟନର ବ୍ୟବସ୍ଥାକୁ ବେସରକାରୀ ହାତକୁ ଟେକିଦେବାର ଖସଡ଼ା ଓ ଦତ୍ତପତ୍ର ତିଆରି କରିଥିଲା କେନ୍ଦ୍ର ସରକାର। ଏଥର କେବଳ ବିଦ୍ୟୁତ୍‌‌ କର୍ମୀ ନୁହନ୍ତି, ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ପାଞ୍ଚଶହରୁ ଊର୍ଦ୍ଧ୍ବ କୃଷକ ସଙ୍ଗଠନ ପ୍ରତିବାଦରେ ସାମିଲ ହୋଇଥିଲେ। ସମସ୍ତ ପ୍ରତିଦ୍ୱନ୍ଦ୍ୱିତା ଅତିକ୍ରମ କରି ସଂଯୁକ୍ତ କୃଷକ ମୋର୍ଚ୍ଚାର ଦିଲ୍ଲୀ ସୀମାରେ କ୍ରମାଗତ ୩୭୭ ଦିନ ଧରି ଐତିହାସିକ ଅବସ୍ଥାନ ଓ ବିକ୍ଷୋଭ ମାଧ୍ୟମରେ ତିନି କଳା କୃଷି ଆଇନ ସହ ବିଦ୍ୟୁତ୍‌‌ ବିଲ୍‌‌ ବାତିଲ ଦାବିରେ ଅଟଳ ରହିଥିଲା। ଏହି ଅବସ୍ଥାନ ସମୟରେ ୭୦୦ରୁ ଅଧିକ କୃଷକଙ୍କ ମୃତ୍ୟୁ ହୋଇଥିଲା। ଏହି ଆନ୍ଦୋଳନର ଚାପରେ ଏନଡିଏ-୨ ସରକାର ନୂଆ କୃଷି ଆଇନର ବାତିଲ କରିଥିଲେ। ୯ ଡିସେମ୍ବର ୨୦୨୧ରେ କୃଷି ମନ୍ତ୍ରୀ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ଲିଖିତ ଭାବେ ଜଣାଇଥିଲେ ବିଦ୍ୟୁତ୍‌‌ ସହ ଜଡ଼ିତ ସମ୍ପୃକ୍ତ ସମସ୍ତ ପକ୍ଷ ସହ ଆଲୋଚନା ନ କରି ଏହି ବିଲ୍‌‌ ସଂସଦରେ ଉପସ୍ଥାପନ କରାଯିବ ନାହିଁ; କିନ୍ତୁ ସରକାର ସେହି କଥାକୁ ନ ରଖି ପ୍ରତିଶ୍ରୁତି ଭଙ୍ଗ କରି ଏକତରଫା ଭାବେ ବିଦ୍ୟୁତ୍‌‌ (ସଂଶୋଧନ) ବିଲ୍‌‌-୨୦୨୨ର ନାମ ଦେଇ ସଂସଦରେ ପେସ୍‌ କରିଥିଲେ। ଏହା ସହ ନିଲାମର ଦରପତ୍ରର ମାଧ୍ୟମରେ ଜାମ୍ମୁ କାଶ୍ମୀର, ଚଣ୍ଡିଗଡ଼ ଓ ପଣ୍ଡିଚେରୀ ଆଦି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍‌‌ ଘରୋଇକରଣର ନିର୍ଦେଶିକା ଜାରି କରିଥିଲା। ଏହା ବିରୋଧରେ ଗ୍ରାହକ ଓ କର୍ମଚାରୀଙ୍କ ସହ ସମାଜର ସବୁ ବର୍ଗର ଜନସାଧାରଣଙ୍କ ମିଳିତ ପ୍ରତିରୋଧ ଯୋଗୁଁ ପୁନଶ୍ଚ ସରକାରକୁ ପଛକୁ ହଟିବାକୁ ପଡ଼ିଥିଲା।

୮ ଅଗଷ୍ଟ ୨୦୨୨ରେ ବିଦ୍ୟୁତ୍‌‌ ସଂଶୋଧନ ବିଲ୍‌‌-୨୦୨୨ ସଂସଦରେ ଉପସ୍ଥାପନ ହେବ ବୋଲି ଏହାର କର୍ମସୂଚୀରେ ଉଲ୍ଲେଖ କରାଯାଇଥିଲା। ପ୍ରକୃତରେ ବିଲ୍‌‌ର ଧାରାଗୁଡ଼ିକ ଏତେ ଜନସ୍ୱାର୍ଥ ବିରୋଧୀ ଥିଲା ଯେ, ପ୍ରତିବାଦର ଭୟରେ ଏହାକୁ ଖୁବ୍‌‌ଶୀଘ୍ର ସଂସଦରେ ପାସ୍‌‌ କରିନେବା ଥିଲା ସରକାରଙ୍କ ଅସଲ ଉଦ୍ଦେଶ୍ୟ। ଏହି ବିଲ୍‌‌ ଯେଉଁଦିନ ଉପସ୍ଥାପିତ ହେଲା, ସେଦିନ ସାରା ଦେଶରେ ପ୍ରାୟ ୧୦୦୦୦ ବିଦ୍ୟୁତ୍‌‌ କେନ୍ଦ୍ର ସବ୍‌‌ଷ୍ଟେସନ ଓ ଦପ୍ତରଗୁଡ଼ିକର ୧୨ଲକ୍ଷରୁ ଊର୍ଦ୍ଧ୍ବ ବିଦ୍ୟୁତ୍‌‌ କର୍ମୀ ଇଞ୍ଜିନିୟର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତିବାଦ ଯୋଗୁଁ ଲୋକସଭାର ବାଚସ୍ପତିଙ୍କ ନି‌େ‌ର୍ଦଶକ୍ରମେ ଶକ୍ତିମନ୍ତ୍ରୀ ସିଲେକ୍ଟ କମିଟିକୁ ପଠାଇବାକୁ ବାଧ୍ୟ ହୋଇଥିଲେ। କେନ୍ଦ୍ର ଶକ୍ତିମନ୍ତ୍ରୀ ବୁଝିପାରିଥିଲେ ଯେ ସରକାରୀ ଭାବେ ବିଦ୍ୟୁତ୍‌‌(ସଂଶୋଧନ) ବିଲ୍‌‌-୨୦୨୨ କାର୍ଯ୍ୟକାରୀ କରିପାରିବେ ନାହିଁ। ଏଣୁ ସରକାର ବଙ୍କା ରାସ୍ତାରେ ଯାଇ କେନ୍ଦ୍ର ବଜେଟ୍‌‌ରେ ୭୯ ଓ ୫୮ ନମ୍ବର ଅନୁଚ୍ଛେଦ ଅନୁଯାୟୀ ରାଷ୍ଟ୍ରାୟତ୍ତ ବଣ୍ଟନ କମ୍ପାନୀଗୁଡ଼ିକରେ ଟୋଟେକ୍ସ ମଡେଲ ପ୍ରିପେଡ ସ୍ମାର୍ଟ ମିଟର ବସାଇବା ଏବଂ ଅଙ୍ଗାର ନିର୍ଗମନର ଦ୍ୱାହିଦେଇ ପୁରାତନ ଜେନେରେଟିଭ ପ୍ଲାଣ୍ଟଗୁଡ଼ିକୁ ବନ୍ଦ କରିଦେବା ଆରମ୍ଭ କଲେ।

ଅସଲରେ କେନ୍ଦ୍ର ସରକାରଙ୍କ ମୂଳ ଉଦ୍ଦେଶ୍ୟ ସରକାରୀ ବଣ୍ଟନ ସଂସ୍ଥାଗୁଡ଼ିକୁ ସେମାନଙ୍କର ବନ୍ଧୁ କର୍ପୋରେଟ୍‌‌ଙ୍କ ହାତକୁ ଟେକିଦେବା। ବିଦ୍ୟୁତ୍‌‌ କର୍ମୀଙ୍କ ସହ କେହି ସ୍ମାର୍ଟ ମିଟର ପରି ଆଧୁନିକ ପ୍ରଯୁକ୍ତିର ବିରୋଧ କରୁ ନାହାନ୍ତି। ସମସ୍ତଙ୍କ ବିରୋଧ ଟୋଟେକ୍ସମ ମଡେଲ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରକଳ୍ପ ବିରୋଧରେ। ଆରଡିଡିଏସ ଅନ୍ତର୍ଗତ ମୋଟେକ୍ସ ମଡେଲ ପ୍ରିପେଡ୍‌ ସ୍ମାର୍ଟ ମିଟରର ବ୍ୟବସ୍ଥା ଚରମ ଗ୍ରାହକ ସ୍ୱାର୍ଥ ବିରୋଧୀ। ଏହାଫଳରେ ଏଠିକାର ସବୁ ବିଦ୍ୟୁତ୍‌‌ କ୍ରୟ ସଂକ୍ରାନ୍ତ ଚୁକ୍ତି ଅବଲୁପ୍ତ ହେବ। ବିଦ୍ୟୁତ୍‌‌ ଉତ୍ପାଦନ କେନ୍ଦ୍ରଗୁଡ଼ିକ ଆଉ ସିଧାସଳଖ ବିଦ୍ୟୁତ୍‌‌ ବଣ୍ଟନ ସଂସ୍ଥାଗୁଡ଼ିକୁ ବିଦ୍ୟୁତ୍‌‌ ବିକ୍ରି କରିପାରିବେ ନାହିଁ। ମଝିରେ ରହିବ ଏନର୍ଜି ଏକ୍ସଚେଞ୍ଜ। ଅର୍ଥାତ୍‌‌ ଏକ ବୈଦ୍ୟୁତିକ ପ୍ରକ୍ରିୟାରେ ଚାଳିତ ସଂସ୍ଥା ଯେଉଁମାନେ ପାଇକାରୀ ବିଦ୍ୟୁତ୍‌‌ କ୍ରେତା ବିକ୍ରେତାର ମଧ୍ୟରେ ଦଲାଲର ଭୂମିକା ପାଳନ କରିବେ। ସ୍ୱାଭାବିକ ଭାବେ ହିଁ ଚାହିଦା ଓ ଯୋଗାଣର ପାରସ୍ପରିକ ଚିରାଚରିତ ଅର୍ଥନୈତିକ ନିର୍ଭରଶୀଳତା ଅନୁଯାୟୀ ଚାହିଦା ସହ ବିଦ୍ୟୁତ୍‌‌ର ମାହାସୁଲ ବଢ଼଼ିବ ଏବଂ ବିଦ୍ୟୁତ୍‌‌ ବଣ୍ଟନର କମ୍ପାନୀଠାରୁ ଗ୍ରାହକଙ୍କୁ ସେହି ହାରରେ ବିଦ୍ୟୁତ୍‌‌ର ମାହାସୁଲ ଦେବାକୁ ହେବ। କେନ୍ଦ୍ର ଶକ୍ତିମନ୍ତ୍ରୀ ଉଚ୍ଚ ଚାହିଦା ସମୟରେ ସ୍ୱାଭାବିକ ମାହାସୁଲଠାରୁ ୨୦% ବୃଦ୍ଧିର କଥା କହିଲେ ମଧ୍ୟ ଇତିମଧ୍ୟରେ ଏହି ସର୍ବୋଚ୍ଚ ମାହାସୁଲ ୧୨ ଟଙ୍କାରୁ ବଢ଼଼ାଇ ୫୦ ଟଙ୍କା ଧାର୍ଯ୍ୟ ହୋଇଛି ଏବଂ ତାହା ପରବର୍ତ୍ତୀ କ୍ଷେତ୍ରରେ ୯୯ ଟଙ୍କାର ନିର୍ଦ୍ଧାରଣ କରିବାର ପ୍ରଚେଷ୍ଟା ଚାଲିଛି। ଏହାଫଳରେ ଜନଗଣଙ୍କର ବିଦ୍ୟୁତ୍‌‌ର ଅଧିକାର ଖର୍ବ ହେବ। କେବଳ ସେତିକି ନୁହେଁ, ସାରାଦିନ ଖଟି ଦୁଇମୁଠା ଅନ୍ନ ଯାହାଙ୍କୁ ମିଳେନା, ସେହି ଗରିବ ମଣିଷଙ୍କର ଘରେ ବିଦ୍ୟୁତ୍‌‌ ପହଞ୍ଚାଇଦେବାର ଦାୟବଦ୍ଧତା ଆଉ ରହିବ ନାହିଁ। କାରଣ ସେ ସଞ୍ଜବେଳାରେ ଉଚ୍ଚ ଚାହିଦା ସମୟରେ ବେଶି ବିଦ୍ୟୁତ୍‌‌ ବ୍ୟବହାର କରିପାରିବେ ନାହିଁ।

ବିଗତ ଦିନରେ ଗ୍ରାମୀଣ ବୈଦ୍ୟୁତିକୀକରଣର ଇତିହାସକୁ ଲିଭାଇ ଅବୈଦ୍ୟୁତିକୀକରଣ ପନ୍ଥା ହିଁ ଏହି ପ୍ରିପେଡ୍‌ ସ୍ମାର୍ଟ ମିଟରର ବ୍ୟବସ୍ଥା। ଏହି ପ୍ରକଳ୍ପର ପ୍ରସ୍ତାବିତ ପ୍ରିପେଡ୍‌ ସ୍ମାର୍ଟ ମିଟରର ମୂଲ୍ୟ ଘନଘନ ମିଟର ବଦଳ କରିବା ପାଇଁ ନୂଆ ମିଟରର ମୂଲ୍ୟ ଗ୍ରାହକଙ୍କୁ ବହନ କରିବାକୁ ହେବ। ବିଦ୍ୟୁତ୍‌‌ ବଣ୍ଟନ ଶିଳ୍ପରେ ସବୁ ମିଟର ଏକାସାଙ୍ଗରେ ଖରାପ ହୋଇଯାଏନା। ତା’ହେଲେ ପରିବର୍ତ୍ତନର କ’ଣ ଆବଶ୍ୟକତା ଅଛି? ଏହି ସ୍ମାର୍ଟ ମିଟରିଂ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ତଥ୍ୟ ସଂରକ୍ଷଣର ଦାୟିତ୍ୱ ବିତରଣ କମ୍ପାନୀ ହାତରେ ରହିବ ନାହିଁ। ପୂରା ମୂଲ୍ୟ ଦେଇଥିଲେ ମଧ୍ୟ ଏହାର ଚାବିକାଠି ଠିକାଦାର କମ୍ପାନୀ ହାତରେ ହିଁ ରହିଯିବ। ତଥ୍ୟ ଚୋରିର ବ୍ୟାପକତା ସମୟରେ ଗ୍ରାହକଙ୍କ ତଥ୍ୟର ସୁରକ୍ଷା ପ୍ରଶ୍ନ ମୁଖରେ ପଡ଼ିବ। ଏହି ପ୍ରକଳ୍ପରେ ନିଯୁକ୍ତ ଠିକାଦାର କମ୍ପାନୀ ବିତରଣ କମ୍ପାନୀର ରାଜସ୍ୱ ସହ ଆର୍ଥିକ ନେଣଦେଣର ତଥ୍ୟ କୌଣସି ତୃତୀୟ ବ୍ୟକ୍ତି ବା ପ୍ରତିଷ୍ଠାନର ନିକଟକୁ ହସ୍ତାନ୍ତର କଲେ ତାହାର କ୍ଷତି ପୂରଣର ନିଶ୍ଚୟତା ରହିବ ନାହିଁ। ପ୍ରାକୃତିକ ଦୁର୍ଯୋଗ କ୍ଷେତ୍ରରେ ଏବଂ ଦୁର୍ବଳ ଇଣ୍ଟରନେଟ୍‌‌ ଓ ମୋବାଇଲ ନେଟୱର୍କ ସମ୍ପନ୍ନ ଅଞ୍ଚଳଗୁଡ଼ିକରେ ସ୍ମାର୍ଟ ମିଟରର ତଥ୍ୟ ଓ ସଂଯୋଗ ବିଚ୍ଛିନ୍ନ ହୋଇପାରେ। ସେ କ୍ଷେତ୍ରରେ ଗ୍ରାହକର ବିଦ୍ୟୁତ୍‌‌ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିବାର ସମ୍ଭାବନା ରହିଛି। କୃଷି କ୍ଷେତ୍ରରେ କ୍ରୟସାଧ୍ୟ ମୂଲ୍ୟରେ ବିଦ୍ୟୁତ୍‌‌ ଉପଲବ୍ଧ ହେବ ନାହିଁ। ଅପରପକ୍ଷେ ସୌର ବିଦ୍ୟୁତ୍‌‌ କ୍ଷେତ୍ର ୧୦୦ ପ୍ରତିଶତ ଘରୋଇ ସଂସ୍ଥାର ହାତରେ ରହିଛି। ବିଦ୍ୟୁତ୍‌‌ ଟ୍ରାନ୍ସମିସନ(ସଞ୍ଚରଣ) ଲାଇନକୁ ମଧ୍ୟ କେନ୍ଦ୍ର ସରକାର ଘରୋଇ କମ୍ପାନୀ ହାତକୁ ଟେକିଦେଇଛନ୍ତି।

କିଶୋର ଜେନା

କଟକ

Comments are closed.